Unknown

 

 

 

 

 

 

 

 

 

 

ଭୂୟାଁ ଜାତି

କେଶବ ଚନ୍ଦ୍ର ମିଶ୍ର

 

ଭୂମିକା

ଲେଖକ କେନ୍ଦୁଝର ଷ୍ଟେଟରେ କାର୍ଯ୍ୟ କଲାବେଳେ ଭୂୟାଁପୀଢ଼ ଅର୍ଥାତ୍ ଭୂୟାଁ ଗ୍ରାମମାନଙ୍କରେ ବୁଲି ଉପଯୁକ୍ତ ସ୍ଥାନମାନଙ୍କରେ ସ୍କୁଲ ବସାଇବାକୁ ଆଦିଷ୍ଟ ହୋଇଥିଲା । ସେହି ସମୟରେ ସେ ଭୂୟାଁମାନଙ୍କର ଆଚାର ବ୍ୟବହାର ଦେଖି ସେ ସମ୍ବନ୍ଧରେ କିଛି ଲେଖିବାକୁ ଇଚ୍ଛାକରି ତତ୍‍କାଳୀନ ଷ୍ଟେଟ୍‍ ସୁପରିଟେଣ୍ଡେଣ୍ଟ ଡି.ଏ. ମ୍ୟାକ୍‍ମିଲନ ମହୋଦୟଙ୍କ ନିକଟରେ ନିଜର ଇଚ୍ଛା ବ୍ୟକ୍ତ କରିବାରୁ ସେ ମହାଶୟ ପ୍ରୀତହୋଇ ଭୂୟାଁମାନଙ୍କ ବିଷୟରେ ଯେଉଁ ବିବରଣମାନ ସଂଗ୍ରହ କରି ଇଂରାଜୀ ଭାଷାରେ ଲେଖି ଟାଇପ୍‍ କରାଇ ରଖିଥିଲେ, ତହିଁରୁ ଗୋଟିଏ କପି ଲେଖକ ହସ୍ତରେ ଦେଇଥିଲେ । ଲେଖକ ପ୍ରାୟ ଅଧିକାଂଶ ବିଷୟ ଉକ୍ତ ଲେଖାରୁ ଗ୍ରହଣ କରି ଏବଂ ତିନିବର୍ଷ କାଳ ଭୂୟାଁ ଗ୍ରାମମାନଙ୍କରେ ବୁଲି ସେମାନଙ୍କ ସମ୍ବନ୍ଧରେ ଯାହା ସଂଗ୍ରହ କରିପାରିଥିଲା, ସେ ସବୁ ୧୯୧୬-୧୭ ସାଲ ‘‘ଉତ୍କଳ-ସାହିତ୍ୟ’’ରେ ଚାରିଗୋଟି ସଂଖ୍ୟାରେ କ୍ରମଶଃ ପ୍ରକାଶ କରିଥିଲେ । ଉକ୍ତ ଡି.ଏ. ମ୍ୟାକ୍‍ମିଲନ ସାହେବ ଭୂୟାଁମାନଙ୍କର ଧାଙ୍ଗଡ଼ ନାଚ, ଆଚାର ବ୍ୟବହାର, ସାମାଜିକ ଅବସ୍ଥା ଏବଂ ଗ୍ରାମାଦିର ଦୃଶ୍ୟ ଇତ୍ୟାଦି ବିଷୟରେ ଫଟୋ ଦେଇ ତାହା ପୁସ୍ତକାକାରରେ ଛପାଇ ଦେବାକୁ ପ୍ରତିଶ୍ରୁତି ହୋଇଥିଲେ, ମାତ୍ର ଦୁଃଖର ବିଷୟ, ସେ ମହୋଦୟଙ୍କ ଅକାଳମୃତ୍ୟୁ ଯୋଗେ ତାହା ଏପର୍ଯ୍ୟନ୍ତ ପୁସ୍ତକାକାରରେ ବାହାରି ପାରିନଥିଲା । ଲେଖକ ଏଥି ମଧ୍ୟରେ ବହୁ ଚେଷ୍ଟାକରି ସେ ସବୁ ଫଟୋ ପାଇପାରିଲା ନାହିଁ, ଯଦି ଭବିଷ୍ୟତରେ କିଛି ମିଳେ, ତାହା ଦ୍ୱିତୀୟ ସଂସ୍କରଣରେ ଦେବାକୁ ଅଶା ରଖି ବର୍ତ୍ତମାନ ପ୍ରଥମ ସଂସ୍କରଣ ପ୍ରକାଶ କଲା ।

୨୨ । ୬ । ୧୯୨୫

ଶ୍ରୀ କେଶବ ଚନ୍ଦ୍ର ମିଶ୍ର, ସ୍କୁଲ ସ.ଇ. ଖୋର୍ଦ୍ଧା

 

ଭୂୟାଁ ଜାତି

 

ଓଡ଼ିଶାର ଉତ୍ତର-ପଶ୍ଚିମ ସୀମାରେ (ଏକପ୍ରାନ୍ତରେ) ଗଡ଼ଜାତ ମହାଲ ଅନ୍ତର୍ଗତ କେଉଁଝର କିଲ୍ଲା ଅବସ୍ଥିତ । ଏହି କିଲ୍ଲାର ଉତ୍ତର-ପଶ୍ଚିମ ସୀମାରେ ଅତି ପାର୍ବତୀୟ ଅଂଶରେ ଏକ ଅସଭ୍ୟ ଜାତି ବାସ କରୁଅଛନ୍ତି । ସେମାନେ ନିଜକୁ ଭୂମିପୁତ୍ର ବୋଲି କହନ୍ତି । ସେମାନେ ଯେଉଁ ପ୍ରଦେଶରେ ବାସ କରନ୍ତି, ସେଥିରେ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଏବଂ ତାହା ସେମାନେ ଆପଣା ଇଚ୍ଛାନୁସାରେ ବ୍ୟବହାର କରିପାରନ୍ତି । ଏ ବିଷୟରେ ସେମାନଙ୍କର ଦୃଢ଼ବିଶ୍ୱାସ ଅଛି । ସେମାନଙ୍କ ଆକୃତି ଓ ଗାତ୍ରଚର୍ମ ସେମାନଙ୍କ ଚତୁର୍ଦ୍ଦିଗରେ ବାସ କରୁଥିବା ଅନ୍ୟାନ୍ୟ ହିନ୍ଦୁଜାତି ଅପେକ୍ଷା ପୃଥକ୍ ଓ ଅଧିକ କୃଷ୍ଣବର୍ଣ୍ଣ । ଭୂୟାଁମାନେ ଓଡ଼ିଶାର ଦ୍ୱିତୀୟ ଅସଭ୍ୟଜାତି । ସେମାନଙ୍କ ନିକଟରେ ବାସ କରୁଥିବା ବିଭିନ୍ନ ଜାତିମାନଙ୍କ ସହ ସଂସର୍ଗୀ ହୋଇ ପୃଥକ୍ ପୃଥକ୍ ଆଚାର ବ୍ୟବହାରଦ୍ଵାରା ସେମାନେ ପୃଥକ୍ ପୃଥକ୍ ଶ୍ରେଣୀରେ ବିଭକ୍ତ ହୋଇଅଛନ୍ତି । ଯେଉଁମାନେ ପ୍ରକୃତ ଭୂୟାଁ ବୋଲି ଦାବି କରନ୍ତି, ସେମାନଙ୍କ ମଧ୍ୟରେ ସ୍ୱାଭାବିକ ଚାରିଗୋଟି ଶ୍ରେଣୀ ଲକ୍ଷିତ ହୁଏ । ଏହି ଶ୍ରେଣୀଗୁଡ଼ିକ କାଳକ୍ରମେ କେତେକ କ୍ଷୁଦ୍ର ଶାଖାଶ୍ରେଣୀରେ ବିଭକ୍ତ ହୋଇଅଛି, ମାତ୍ର ଏହା ଏତେ ବିରଳ ଯେ ଉଲ୍ଲେଖ କରିବା ଆବଶ୍ୟକ ନାହିଁ । ପୈତୃକ ସମ୍ପ୍ରଦାୟ ଦେଶଭୂୟାଁ ନାମରେ ପରିଚିତ, ସେମାନେ ଅନ୍ୟାନ୍ୟ ସମ୍ପ୍ରଦାୟ ଭୂୟାଁମାନଙ୍କଠାରୁ ଶ୍ରେଷ୍ଠ ବୋଲି କହନ୍ତି । ରାଜକୋଳୀ ଭୂୟାଁମାନେ ଉପସ୍ତ୍ରୀ ଗର୍ଭଜାତ ରାଜବଂଶ ବୋଲି ଅନୁମିତ ହୁଅନ୍ତି । ଏମାନଙ୍କ ବିଷୟ ପରେ ଉଲ୍ଲେଖ କରାଯିବ-। ଅନ୍ୟ ଦୁଇଶ୍ରେଣୀ ରାଉତାଳୀ ଏବଂ ପାବନ ନାମରେ ପରିଚିତ, ଏମାନଙ୍କ ସଂଖ୍ୟା ଅପର ଦୁଇଶ୍ରେଣୀ ଅପେକ୍ଷା ଅଳ୍ପ । ଏମାନେ ହିନ୍ଦୁମାନଙ୍କର ଅନେକ ରୀତିନୀତି ମଧ୍ୟ ଅନୁସରଣ କରି ଚାଷ କାର୍ଯ୍ୟରେ ଲିପ୍ତ ହେଉଅଛନ୍ତି ଏବଂ ଦେଶ ଭୂୟାଁମାନଙ୍କଠାରୁ ନିଜକୁ ଅଧିକ ଉନ୍ନତ ମନେକରନ୍ତି-

 

ବର୍ତ୍ତମାନ ଦେଶ ଭୂୟାଁମାନଙ୍କ ବିଷୟରେ କେତେକ କଥା ଲେଖାଯାଉଅଛି । ଭୂୟାଁମାନେ କେବଳ ଓଡ଼ିଶାର ଦ୍ୱିତୀୟ ଅସଭ୍ୟ ଜାତି ନୁହନ୍ତି । ସେମାନେ ଅନ୍ୟାନ୍ୟ ପାର୍ବତୀୟ ଜାତିମାନଙ୍କଠାରୁ ଅଧିକ କ୍ଷମତାଶାଳୀ ଅଟନ୍ତି ଏବଂ କେଉଁଝରରେ ନିରୂପିତ ସମୟମାନଙ୍କରେ ପ୍ରଭୂତ ଶକ୍ତି ପ୍ରକାଶ କରିଅଛନ୍ତି । ଏ କିଲ୍ଲାରେ ଅନେକ ଅନାର୍ଯ୍ୟ ବାସ କରନ୍ତି l ମାତ୍ର ସେମାନେ ପ୍ରକୃତ ପାର୍ବତୀୟ ଜାତି ବୋଲି ବୋଧହୁଏ ନାହିଁ । କାରଣ ସେମାନେ ସେମାନଙ୍କ ପୂର୍ବ ଆଚାର, ବ୍ୟବହାର ଛାଡ଼ି ନିଜ ରୁଚି ଅନୁଯାୟୀ ହିନ୍ଦୁଧର୍ମର କେତେକ ନିୟମ ପରିବର୍ତ୍ତନପୂର୍ବକ ହିନ୍ଦୁ ରୀତିନୀତି ଅନୁସରଣ କରି ମିଶି ଯାଇଅଛନ୍ତି । କେବଳ ସେମାନଙ୍କ ପୂର୍ବପୁରୁଷମାନଙ୍କର ଦେହର ରଙ୍ଗ ଓ କେତେକ ଢଙ୍ଗ ଏମାନଙ୍କଠାରେ ଥିବାର ଦେଖାଯାଏ । ପ୍ରକୃତରେ ପାର୍ବତୀୟ ଜାତିମାନଙ୍କ ତେଜ ଏମାନଙ୍କଠାରେ ଦୃଷ୍ଟିଗୋଚର ହୁଏ ନାହଁ । ପାହାଡ଼ିଆ ଭୂୟାଁମାନେ ବାହୁଙ୍ଗି ଓ ଅନ୍ୟାନ୍ୟମାନେ କାଣ୍ଡ ଆପଣା ଆପଣାର ସନ୍ତକ ବୋଲି ଲେଖାନ୍ତି, ମଧ୍ୟବିତ୍ତ ଏହି ସନ୍ତକକୁ ସେମାନେ ପର୍ବପର୍ବାଣୀରେ ଦେବତାରୂପରେ ପୂଜା କରନ୍ତି ।

 

ଭୂୟାଁମାନେ ପ୍ରଥମେ ସିଂହଭୂମିର ଦକ୍ଷିଣ-ପଶ୍ଚିମ ସୀମାରୁ କ୍ରମଶଃ ଆସି ଉତ୍ତରରେ ପାଲଲହଡ଼ା, ତାଳଚେର ଓ ଢେଙ୍କାନାଳ ପର୍ଯ୍ୟନ୍ତ ଉପନିବେଶ ସ୍ଥାପନ କଲେ । କାଳକ୍ରମେ ପଶ୍ଚିମରେ ବଣେଇ, ବାମଣ୍ଡା, ସିଂହଭୂମିର ଓ ମଧ୍ୟପ୍ରଦେଶର କେତେକ ପାର୍ବତ୍ୟ ପ୍ରଦେଶରେ ଉପନିବେଶ ବିସ୍ତାର କଲେ ଓ ପୂର୍ବଦିଗରେ କେନ୍ଦୁଝରର ପାର୍ବତ୍ୟ ପ୍ରଦେଶର ପାଦଦେଶ ପର୍ଯ୍ୟନ୍ତ ଅଧିକାର କଲେ । ଭୂୟାଁମାନଙ୍କର ବର୍ତ୍ତମାନ ବାସଭୂମିର ପରିମାଣ ୧୬୦ ବର୍ଗ ମାଇଲ, ମାତ୍ର ସେମାନଙ୍କର ଆଦି ବାସସ୍ଥଳୀର ପରିମାଣ ୨୫୫ ବର୍ଗ ମାଇଲ । ଏହି ୨୫୦ ବର୍ଗ ମାଇଲ ସ୍ଥାନ ପାହାଡ଼ିଆ ଭୂୟାଁମାନଙ୍କର ବାସସ୍ଥାନ । ଦେଶ ଭୂୟାଁମାନେ ସମସ୍ତ ପାର୍ବତ୍ୟ ପ୍ରଦେଶରେ ବାସ କରନ୍ତି । ମାତ୍ର ପର୍ବତର ପାଦଦେଶରେ ରାଜକୋଳୀ, ରାଉତାଳୀ ଓ ପାବନ ଶ୍ରେଣୀର ଭୂୟାଁମାନେ ବାସ କରିବାର ଦେଖାଯାଏ ।

 

କେନ୍ଦୁଝର ଭୂୟାଁମାନଙ୍କର ଆଦି ବାସସ୍ଥାନ । କାଳକ୍ରମେ ସେମାନଙ୍କର ବଂଶବୃଦ୍ଧି ହେବାରୁ ସେମାନଙ୍କ ମଧ୍ୟରୁ କେତେକ ନିକଟବର୍ତ୍ତୀ କିଲ୍ଲାମାନଙ୍କୁ ଯାଇ ବାସ କଲେ । ମାତ୍ର ଅନ୍ୟ କିଲ୍ଲାରେ ବାସ କରୁଥିବା ଭୂୟାଁମାନେ ସେମାନଙ୍କ ପୈତୃକ ସ୍ଵଭାବ ଛାଡ଼ିବାକୁ ବାଧ୍ୟ ହେଲେ ।

 

ଭୂୟାଁମାନେ ମୟୂରଭଞ୍ଜରୁ କେଉଁଝରକୁ ପୃଥକ୍ କରିବାର କିମ୍ବଦନ୍ତୀ ଅଛି । ପ୍ରାୟ ଏକସହସ୍ର ବର୍ଷ ପୂର୍ବେ ଭୂୟାଁମାନେ ବହୁଦୂର ବିପଦସଙ୍କୁଳ ଅରଣ୍ୟ ଅତିକ୍ରମ କରି ମୟୂରଭଞ୍ଜ ରାଜାଙ୍କ ନିକଟକୁ ସମ୍ମାନ ଦର୍ଶାଇବା ଓ କର ଦେବାପାଇଁ ଯାଉଥିଲେ । ଏହି ସାମୟିକ ପ୍ରୟୋଜନରେ ଯେଉଁମାନେ ପଠାଯାଉଥିଲେ, ସେମାନେ ପ୍ରାୟ ଫେରି ଆସି ପାରୁନଥିଲେ । କେହି ହିଂସ୍ରଜନ୍ତୁମାନଙ୍କ ଦ୍ଵାରା ନିହତ ହେଉଥିଲେ, କେହି ବା ରୋଗଦ୍ଵାରା ଆକ୍ରାନ୍ତ ହୋଇ ପଥରେ ମୃତ୍ୟୁମୁଖରେ ପତିତ ହେଉଥିଲେ । ଏହି କାରଣରୁ ସେମାନଙ୍କର ନିଜର ଜଣେ ରାଜା କରିବାର ସ୍ଥିର କରି ତତ୍କାଳୀନ ନରପତିଙ୍କର ଗୋଟିଏ ପୁତ୍ରକୁ ଚୋରାଇ ଆଣି ଆପଣା ବାସସ୍ଥଳୀରେ ରାଜା ବୋଲି ଘୋଷଣା କଲେ । ସେ ସମୟରେ ଏମାନେ ବାସ କରୁଥିବା ସ୍ଥଳକୁ ବିଦେଶୀ ଲୋକ ଆସିବା ସହଜସାଧ୍ୟ ନ ଥିଲା । ଆଉ ମଧ୍ୟ ସେହି ସମୟରେ ମୟୂରଭଞ୍ଜ ରାଜପରିବାର ମଧ୍ୟରେ ଗୃହବିବାଦ ଚଳୁଥିବାରୁ ସେମାନଙ୍କ ପରିବାରବର୍ଗରୁ ଅନେକେ ଭୂୟାଁମାନଙ୍କର ଉକ୍ତ କାର୍ଯ୍ୟରେ ସାହାଯ୍ୟ ଦେଇଥିଲେ । ଗଉଡ଼ ଓ ଅନ୍ୟାନ୍ୟ କେତେକ ଜାତି ଉକ୍ତ ରାଜାଙ୍କର ଆବଶ୍ୟକ କାର୍ଯ୍ୟ ନିର୍ବାହ କରିବାପାଇଁ ଅନ୍ୟାନ୍ୟ କିଲ୍ଲାରୁ ଆନୀତ ହେଲେ ମଧ୍ୟ ସେ ରାଜାଙ୍କର ଖାଦ୍ୟ ପୃଥକ୍‍ରୂପେ ଅତି ସାବଧାନତା ସହକାରେ ପାକ କରାଯାଉଥିଲା । ଏପରି ପ୍ରବାଦ ଅଛି ଯେ, ଭୂୟାଁମାନେ ତାଙ୍କୁ ଏପରି ସମ୍ମାନ କରୁଥିଲେ ଯେ ସେମାନଙ୍କ ମଧ୍ୟରୁ କେହି ତାହାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ପର୍ଶ କରୁନଥିଲେ । ଛୁଇଁଲେ ଅଶୁଚି ହେବାର ଭୟ ସେମାନଙ୍କର ଥିଲା ଏବଂ ଏହି କାରଣରୁ ଯେଉଁ ପାତ୍ରରେ ରନ୍ଧନ କାର୍ଯ୍ୟ ହେଉଥିଲା, ତାହ। ଖାଲି ହେବା ମାତ୍ରକେ ଜଣେ ପ୍ରଧାନ ଭୂୟାଁ କାଣ୍ଡ ବିନ୍ଧି ସେ ପାତ୍ରକୁ ଭାଙ୍ଗି ଦେଉଥିଲା । ଏହି ମୃତ୍ତିକା ପାତ୍ର ଭାଙ୍ଗିବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆବଶ୍ୟକ ବିବେଚିତ ହେଉଅଛି । ବର୍ତ୍ତମାନ କାଣ୍ଡଦ୍ୱାରା ଭାଙ୍ଗିବା ପ୍ରଥା ଉଠି ଯାଇଥିଲେ ହେଁ ଏହି କାର୍ଯ୍ୟ ରାଜାଙ୍କ ପାଖଲୋକଙ୍କ ଦ୍ୱାରା ସାଧିତ ହେଉଅଛି । ରାଜପୁତ୍ର ବୟଃପ୍ରାପ୍ତ ହେବାରୁ ତାଙ୍କ ସକାଶେ ଗୋଟିଏ ଦୁର୍ଗ ନିର୍ମାଣ କରିବା ପାଇଁ ତାହାଙ୍କର ଭୂୟାଁ ଅଭିଭାବକମାନେ ଗୋଟିଏ ସୁବିଧାଜନକ ସ୍ଥାନ ନିରୂପଣ କରିବାକୁ ମନସ୍ଥ କଲେ । ଉକ୍ତ ବାସଭୂମି ନିରୂପଣାର୍ଥ ସ୍ଥାନ ଖୋଜୁ ଖୋଜୁ ସେମାନେ ଏକସ୍ଥାନରେ ପହଞ୍ଚି ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟନା ଦେଖିଲେ । ଗୋଟିଏ କୁକୁର ଗୋଟିଏ ଶଶକଦ୍ୱାରା ଆକ୍ରାନ୍ତ ହୋଇ ଭୟରେ ପଳାଇ ଯାଉଅଛି । ଉକ୍ତ ଘଟନା ସେମାନଙ୍କୁ ଅତିଶୟ ଶୁଭସୂଚକ ବୋଲି ବୋଧ ହୋଇଥିଲା ଏବଂ ସେମାନେ ତତ୍‍କ୍ଷଣାତ୍ ସ୍ଥିର କଲେ ଯେ, ଯେଉଁ ସ୍ଥାନରେ ଘଟନା ଘଟିଥିଲା,.ସେହି ସ୍ଥାନରେ ଯୁବରାଜଙ୍କ ପାଇଁ ଦୁର୍ଗ ପ୍ରସ୍ତୁତ କରିବାକୁ ହେବ-। ସେହି ସ୍ଥାନରେ ରାଜବଂଶର ଅଧ୍ୟୁଷିତ ନବର ପ୍ରତିଷ୍ଠିତ ହୋଇଅଛି ଏବଂ ଏହା ଏହି ରାଜ୍ୟର ରାଜଧାନୀ ଅଟେ । ଏହା ଭୂୟାଁପୀଢ଼ ପ୍ରଗଣାର ସୀମାରେ ଏକ ପର୍ବତମାଳାର ପାଦଦେଶରେ ଅତି କଦର୍ଯ୍ୟ ଖାଲ ଜମିରେ ଅବସ୍ଥିତ । ଏଠାରେ ମାଲେରିଆ ଜ୍ୱର ଅତି ପ୍ରବଳ ହୁଏ-। ଦୁର୍ଗର ପୃଷ୍ଠଦେଶରେ ଦଣ୍ଡାୟମାନ ପର୍ବତଶିଖର ଉପରକୁ (ଯେଉଁଠାରେ ବାର୍ଷିକ ଇନ୍ଦ୍ରୋତ୍ସବ ହୁଏ ସେହି ସ୍ଥାନକୁ) ନବରର ସମସ୍ତ ଅଂଶ ଦେଖାଯାଏ । ଓଡ଼ିଶାର ଅନ୍ୟାନ୍ୟ କରଦରାଜ୍ୟସମୂହର ଦୁର୍ଗମାନ ଯେଉଁପରି ସ୍ଥାନରେ ଅବସ୍ଥିତ, ଏହା ମଧ୍ୟ ସେହିପରି ଅଟେ । ଜନଶ୍ରୁତି ଅଛି ଯେ, ମରହଟ୍ଟା ଓ ଅନ୍ୟାନ୍ୟ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ରାଜପରିବାରବର୍ଗ ସୁବିଧାକ୍ରମେ ଅରଣ୍ୟ ମଧ୍ୟରେ ପ୍ରବେଶ କରିବାପାଇଁ ଦୁର୍ଗମାନଙ୍କର ଅବସ୍ଥିତି ଏହିପରି ସ୍ଥାନମାନଙ୍କରେ ହୋଇଅଛି । ତତ୍କାଳୀନ ଇତିହାସ ଦୃଷ୍ଟିରେ ଏହା ମଧ୍ୟ ପ୍ରକୃତ ବୋଲି ବୋଧହୁଏ ।

 

ପ୍ରୋକ୍ତ ଯୁବରାଜଙ୍କ ଅନ୍ତଃପୁରରେ ଉପସ୍ତ୍ରୀ ଓ ଦାସୀରୂପେ କହିବାପାଇଁ ଭୂୟାଁମାନେ ଆପଣା ଜାତି ମଧ୍ୟରୁ କେତେକ ବାଳିକା ପ୍ରଦାନ କରିଥିଲେ । ଉକ୍ତ ସ୍ତ୍ରୀମାନଙ୍କଠାରୁ ରାଜାଙ୍କ ଔରସରେ ଜାତ ସନ୍ତାନମାନେ ରାଜକୋଳୀ ଭୂୟାଁମାନଙ୍କ ପୂର୍ବପୁରୁଷ ବୋଲି କଥିତ ହୁଅନ୍ତି । ସେମାନେ ରାଜକୋଳ ବା ରାଜକୁଳରୁ ଜାତ ବୋଲି ରାଜକୋଳୀ ନାମରେ ଅଭିହିତ ହେବାର ଅନୁମିତ ହୁଏ । ରାଜବଂଶ ସହିତ ଏହି ସମ୍ପର୍କରୁ ସେମାନେ ଅନ୍ୟାନ୍ୟ ଭୂୟାଁମାନଙ୍କ ଅପେକ୍ଷା ଅଧିକ ଉନ୍ନତ ଏବଂ ରାଜାଙ୍କ ଅବଲମ୍ବିତ ହିନ୍ଦୁ ରୀତିନୀତି ଅବଲମ୍ବନ କରିଅଛନ୍ତି ।

 

କେଉଁଝର ଦୁର୍ଗ ସ୍ଥାପନର ପ୍ରଥମ ଦିବସରୁ ଆଜି ପର୍ଯ୍ୟନ୍ତ ଭୂୟାଁମାନେ ସେମାନଙ୍କର ରହସ୍ୟମୟ ପାରମ୍ପରିକ ପ୍ରଥା ସମ୍ପାଦନ ନ କରିବା ପର୍ଯ୍ୟନ୍ତ ରାଜାଙ୍କର ରାଜ୍ୟାଭିଷେକ ସମ୍ପୂର୍ଣ୍ଣ ହୋଇଅଛି ବୋଲି ସ୍ୱୀକାର କରନ୍ତି ନାହିଁ । ଏହି ଦାବି ଆଜି ପର୍ଯ୍ୟନ୍ତ ପ୍ରବଳ ହୋଇ ଆସୁଅଛି । ରାଜ୍ୟାଭିଷେକ ସମୟରେ ବିଭିନ୍ନ ସମ୍ପ୍ରଦାୟର ଭୂୟାଁମାନେ ବଂଶାନୁକ୍ରମେ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଥିବା ନେତାଙ୍କ ଅଧୀନରେ ଦଳବଦ୍ଧ ହୋଇ ଅନିୟମିତ କର୍କଶସ୍ୱରବିଶିଷ୍ଟ ନାନା ବାଦ୍ୟଯନ୍ତ୍ର ବାଦନପୂର୍ବକ ରାଜନଗରର ପ୍ରାଙ୍ଗଣକୁ ଅତି ସମାରୋହରେ ଗମନ କରନ୍ତି । ଏହି ସମୟରେ ଦଳପତି ରାଜଭକ୍ତିର ଚିହ୍ନସ୍ୱରୂପ ଗୋଟିଏ ବୃହତ୍ କଖାରୁ କାନ୍ଧରେ ବହିଥାଏ । ପ୍ରବେଶ ମାତ୍ରକେ କଖାରୁଟି ଭେଟନ୍ତି ଏବଂ ଦଳପତି ଯୁବରାଜଙ୍କୁ ନିଜ ଜଙ୍ଘରେ ବସାଏ, ତତ୍ପରେ ସେ ରାଜାଙ୍କ ମସ୍ତକରେ ଚନ୍ଦନ ଲଗାଇ ଦେଇ ଯଥାବିଧାନରେ ସିଂହାସନାରୋହଣ କରାଏ । ଏଥିଉତ୍ତାରୁ ସେମାନେ ସମସ୍ତେ ଏକାବେଳକେ ରାଜାଙ୍କ ଚରଣତଳରେ ସାଷ୍ଟାଙ୍ଗ ପ୍ରଣିପାତ କରି ପୂର୍ବକୃତ ଅପରାଧ ନିମିତ୍ତ କ୍ଷମାପ୍ରାର୍ଥନା କରନ୍ତି ଏବଂ ପ୍ରକାଶ କରନ୍ତି ଯେ ସେମାନଙ୍କ ପ୍ରାର୍ଥନା ଗୃହୀତ ନ ହେବା ପର୍ଯ୍ୟନ୍ତ ସେମାନେ ଭୂମିରୁ ଉଠିବେ ନାହିଁ । ତତ୍‍ପରେ ନବାଭିଷିକ୍ତ ରାଜା ସେମାନଙ୍କୁ କ୍ଷମା ପ୍ରଦାନ କରି ସନ୍ତୋଷରେ ଗାତ୍ରୋତ୍‍ଥାନ କରିବାକୁ ଆଦେଶ ଦିଅନ୍ତି । ତଦୁତ୍ତାରେ ଦଳପତି ଅଗ୍ରସର ହୋଇ ରାଜା ଓ ରାଜବଂଶର ଚତୁରଙ୍ଗ ସୈନ୍ୟ ଏବଂ ରାଜ୍ୟର ସମସ୍ତ କୁଶଳ ଜିଜ୍ଞାସା କରେ । ଏହିସବୁ ପ୍ରଶ୍ନର ଯଥାବିଧି ଉତ୍ତର ଦିଆଗଲେ, ପରେ ରାଜାଙ୍କ ମାଦଳାପାଞ୍ଜି ଲେଖକ ଖଣ୍ଡିଏ ତାଳପତ୍ର ପୋଥିରୁ କେତେଗୁଡ଼ିଏ ପ୍ରଶ୍ନ ପାଠ କରି ଭୂୟାଁମାନଙ୍କ ସ୍ୱାସ୍ଥ୍ୟ, ସେମାନଙ୍କ ବଂଶଧର, ଗୋମେଷାଦି ପଶୁ, ପାର୍ବତୀୟ ଝରଣା ଏବଂ ଗ୍ରାମ୍ୟକ୍ଷେତ୍ରମାନଙ୍କ ଅବସ୍ଥା ଉତ୍ତମ ଅଛି କି ବୋଲି ପଚାରନ୍ତି । ଏହାର ଉତ୍ତରଛଳରେ ପ୍ରତି ଗ୍ରାମର ପ୍ରଧାନମାନେ କ୍ରମାନ୍ଵୟରେ ପୁନର୍ବାର ରାଜାଙ୍କ ଚରଣତଳରେ ସାଷ୍ଟାଙ୍ଗ ପ୍ରଣାମ କରନ୍ତି ଏବଂ ପ୍ରତ୍ୟେକ ନବାଭିଷିକ୍ତ ରାଜାଙ୍କ ଚରଣକୁ ହସ୍ତରେ ଧାରଣପୂର୍ବକ ପ୍ରଥମେ ଏକ ସ୍କନ୍ଧରେ ତତ୍‍ପରେ ଅପର ସ୍କନ୍ଧରେ ସ୍ଥାପନ କରି ଶେଷରେ ମସ୍ତକରେ ଲଗାନ୍ତି । ପୁନରାୟ ସାଷ୍ଟାଙ୍ଗ ପ୍ରଣିପାତପୂର୍ବକ ରାଜାଙ୍କ ନିକଟରୁ ବିଦାୟ ଗ୍ରହଣ କରନ୍ତି । ଏହିପରି ସେମାନଙ୍କ ଦ୍ୱାରା ରାଜ୍ୟାଭିଷେକ ସମ୍ପାଦିତ ହୁଏ । ଏହାପରେ ନାନାପ୍ରକାର ଉତ୍ସବ ଓ ଭୋଜୀର ଆୟୋଜନ କରାଯାଏ । ଯଥାର୍ଥରୂପେ (ପୁରୁଷାନୁକ୍ରମେ) ସିଂହାସନାରୋହଣ କାର୍ଯ୍ୟ ସମ୍ପାଦନକାରୀ ଭୂୟାଁମାନଙ୍କ ମଧ୍ୟରେ ଏହି ପ୍ରଥା କିଛି ଉନ୍ନତି ଲାଭ କରିଅଛି । ଜଣେ ରାଜାଙ୍କ ଉପରେ ଛତ୍ର ଧାରଣ କରେ, ଅନ୍ୟ ଜଣେ ଘୋଡ଼ା ହୋଇ ଯୁବରାଜଙ୍କୁ ପୃଷ୍ଠଦେଶରେ ବହନପୂର୍ବକ (ଯେଉଁ ଲୋକ ତାହାଙ୍କୁ ଜାନୁ ଉପରେ ଉପବେଶନ କରାଇ ଅଭିଷିକ୍ତ କରିବ) ତାହା ନିକଟକୁ ଘେନିଯାଏ । ଏହି ଉତ୍ସବ ପ୍ରତିବର୍ଷ ବୈଶାଖ ମାସରେ ସମ୍ପାଦିତ ହୁଏ । କେବଳ ରାଜାଙ୍କୁ ଗାଦି ଉପରେ ବସାଯାଏ ନାହିଁ । ଉଲ୍ଲିଖିତ ଘଟନାମାନଙ୍କରୁ ପ୍ରତୀୟମାନ ହେଉଅଛି ଯେ, ଅତି ପ୍ରାଚୀନକାଳରୁ ଭୂୟାଁମାନେ ଏପରି ଜଣେ ଶାସନକର୍ତ୍ତା ଲୋଡ଼ନ୍ତି, ଯାହାଙ୍କଠାରେ ସେମାନେ ନିଜ ନିଜ ଦୁଃଖ ନିବେଦନ କରିପାରିବେ ଏବଂ ଯାହାଙ୍କଠାରୁ ସଦୁପଦେଶ ଗ୍ରହଣ କରିପାରିବେ । କିନ୍ତୁ ସ୍ୱାଧୀନ ଭାବରେ ଶାସିତ ହେବାକୁ ସେମାନେ ଇଚ୍ଛା କରିନାହାନ୍ତି ବା କରନ୍ତି ନାହିଁ । ପକ୍ଷାନ୍ତରେ ସେମାନେ ସେମାନଙ୍କ ଅଭିଷିକ୍ତ ରାଜାଙ୍କର ରାଜ୍ୟଶାସନ ନିୟମାବଳୀ ଗ୍ରହଣ କରିବା ଓ ତହିଁରେ ଦୋଷାରୋପ କରିବା ବିଷୟରେ କ୍ଷମତା ଦାବି କରନ୍ତି ।

 

ଭୂୟାଁମାନଙ୍କଦ୍ୱାରା ଯେଉଁସବୁ ସାମୟିକ ବିଦ୍ରୋହମାନ ଘଟିଅଛି, ତାହା କେବଳ କୌଣସି ଶାସନକର୍ତ୍ତାଙ୍କ ବ୍ୟବହାରରେ ସେମାନଙ୍କର ଅସନ୍ତୋଷ ଜନ୍ମିବା ବା ପ୍ରାର୍ଥିତ ବିଷୟମାନଙ୍କରେ ପ୍ରତିକାର ନ ମିଳିବା ଯୋଗେ ଘଟିଅଛି । ୧୮୯୦ଠାରୁ ୧୮୯୩ ପର୍ଯ୍ୟନ୍ତ ଯେଉଁ ବିଦ୍ରୋହ ଘଟିଥିଲା ତହିଁରେ ଉଲ୍ଲିଖିତ ବିଷୟ ବିଶଦରୂପେ ପ୍ରମାଣିତ ହୋଇଅଛି ।

 

ଯେତେବେଳେ ରାଜା ତାହାଙ୍କ ପରିବାରବର୍ଗଙ୍କୁ ଦେଶୀୟ ପୁଲିସ ବା ପାଇକମାନଙ୍କ ତତ୍ତ୍ୱାବଧାନରେ ରଖି ନିଜେ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ଆଶ୍ରୟ ନେବା ପାଇଁ କଟକ ନଗରୀକୁ ପଳାୟନ କରିଥିଲେ, ସେତେବେଳେ ଭୂୟାଁମାନେ ଏହିକଥା ଶ୍ରବଣ କରି ଦୁର୍ଗାକ୍ରମଣନିମିତ୍ତ ଦୃଢ଼ସଂକଳ୍ପ କରିନଥିଲେ । ସେମାନେ ଇଚ୍ଛା କରିଥିଲେ ସହଜରେ ଦୁର୍ଗ ଅଧିକାର କରିପାରିଥାନ୍ତେ, ଯେହେତୁ ସେମାନଙ୍କର ସଂଖ୍ୟା ଅଧିକ ଥିଲା ଏବଂ ଦୁର୍ଗ ଅତିଅଳ୍ପ ଲୋକଙ୍କଦ୍ୱାରା ରକ୍ଷିତ ହୋଇଥିଲା; ମାତ୍ର ସେମାନେ ସେମାନଙ୍କର ଅସନ୍ତୋଷ-ଉତ୍ପାଦନକାରୀ ରାଜାଙ୍କୁ ଅନୁପସ୍ଥିତ ଦେଖି ରାଜପରିବାରବର୍ଗଙ୍କ ପ୍ରତି କୌଣସି ଅନିଷ୍ଟାଚରଣ କରିବାକୁ ଇଚ୍ଛା କରିନଥିଲେ ।

 

ଭୂୟାଁପୀଢ଼ (ପ୍ରଗଣା) ରାଜାଙ୍କ ଦ୍ୱାରା ଶାସିତ ହେଉଥିଲେହେଁ ରାଣୀ ତାହାର ଉପସ୍ୱତ୍ୱ ଭୋଗ କରନ୍ତି । ଏଣୁ ତାହାଙ୍କୁ ସେମାନେ ମାତା ବୋଲି କହନ୍ତି ଏବଂ ତାହାଙ୍କ ପ୍ରତି ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରନ୍ତି । ପୂର୍ବକଥିତ ବିଦ୍ରୋହ ସମୟରେ ବେବର୍ତ୍ତା ଭୂୟାଁମାନଙ୍କ ଭୟରେ ପଳାଇ ଯାଇ ଅନ୍ତଃପୁରରେ ରାଣୀଙ୍କ ଆଶ୍ରୟ ଗ୍ରହଣ କରିଥିଲେ । ସେମାନେ ଏହା ଜାଣିପାରି ପ୍ରତିଶୋଧ ଗ୍ରହଣେଚ୍ଛୁ ହୋଇ ତାଙ୍କୁ ହତ୍ୟା କରିବାକୁ ଅନ୍ତଃପୁର ମଧ୍ୟରେ ପ୍ରବେଶ କରିବା ମାତ୍ରକେ ଦେଖିଲେ ଯେ ସେ ରାଣୀଙ୍କୁ ନିଜ ମାତା ଜ୍ଞାନରେ ଅତିଶୟ ଭକ୍ତି କରୁଅଛନ୍ତି; ତେଣୁ ତାଙ୍କ ମୁଖ ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇ ପ୍ରୋକ୍ତ ଅଭିଳାଷରୁ ବିରତ ହେଲେ ।

☆☆☆

 

ସ୍ୱଭାବ

 

ଭୂୟାଁମାନଙ୍କ ସ୍ଵଭାବରେ କେତେକ ବିଶେଷତ୍ୱ ଅଛି; ଯାହା ଓଡ଼ିଶାର କରଦରାଜ୍ୟମାନଙ୍କରେ ବାସ କରୁଥିବା ଅନ୍ୟାନ୍ୟ ଆଦିମ ଜାତିମାନଙ୍କଠାରେ ଲକ୍ଷିତ ହୁଏ ନାହିଁ । ସରଳତା, ସତ୍ୟବାଦିତା, ସ୍ୱାଧୀନତା ପ୍ରତି ଆନ୍ତରିକ ମମତା, ନେତାମାନଙ୍କ ପ୍ରତି ଭକ୍ତି ଏବଂ ଅଦମନୀୟ ଇଚ୍ଛା ସେମାନଙ୍କଠାରେ ପରିଦୃଷ୍ଟ ହୁଏ । ଏହାଛଡ଼ା ସେମାନେ ବନ୍ଧୁମାନଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱାସୀ ଏବଂ ଅତିଥିସେବାରେ ସର୍ବଦା ତତ୍‍ପର, ଏମନ୍ତ କି ସେମାନଙ୍କ ଆତିଥେୟତା ଓଡ଼ିଶା ପ୍ରଦେଶରେ ଆଦର୍ଶସ୍ଥାନୀୟ । ସେମାନେ କାହାର ଅଧୀନତା ସ୍ଵୀକାରରେ ସର୍ବଦା ବିମୁଖ । ଅନ୍ୟପକ୍ଷରେ ସେମାନଙ୍କର ମହତ୍ ଦୋଷ ଏହି ଯେ ସେମାନେ ପ୍ରତିଶୋଧଲିପ୍‍ସୁ, ମଧ୍ୟ ସମୟ ସମୟରେ ସେମାନେ ପାଶବିକ ରିପୁ ଏବଂ ସ୍ୱାଭାବିକ ଶୈଥିଲ୍ୟର ବଶବର୍ତ୍ତୀ । ସେମାନଙ୍କର ସାଂସାରିକ ଜୀବିକାନିର୍ବାହ ପ୍ରତି ଔଦାସୀନ୍ୟ ଶେଷୋକ୍ତ ଦୋଷର କାରଣ ଅଟେ । ମଦ୍ୟପାନ ସେମାନଙ୍କ ମଧ୍ୟରେ ପ୍ରଚଳିତ, ବିନା ମଦ୍ୟପାନରେ ସେମାନଙ୍କ ନିଜ ଗୃହର ଉତ୍ସବ ଏବଂ ଗ୍ରାମର ସାଧାରଣ ଉତ୍ସବାଦି ସମ୍ପାଦିତ ହୁଏ ନାହିଁ; କେବଳ ସ୍ତ୍ରୀମାନେ ତହିଁରୁ ବଞ୍ଚିତ । ଏହା ପୁରୁଷମାନଙ୍କର ବିଧିବଦ୍ଧ ପ୍ରଥା ବୋଲି ବିବେଚିତ ହେଉଥିଲେ ହେଁ ସ୍ତ୍ରୀସମାଜ ମଧ୍ୟରେ ନିତାନ୍ତ ଘୃଣ୍ୟ ଏବଂ ଜଘନ୍ୟ କାର୍ଯ୍ୟ ବୋଲି ପରିଗଣିତ ।

 

ବିଶ୍ୱସ୍ତତା ଓ ସୌଜନ୍ୟ ସେମାନଙ୍କର ଦୁଇଗୋଟି ପ୍ରଧାନ ଗୁଣ । ସେମାନେ ପ୍ରତ୍ୟେକ ଆଗନ୍ତୁକ ପ୍ରତି ନିମନ୍ତ୍ରିତ ଅତିଥିତୁଲ୍ୟ ବ୍ୟବହାର କରନ୍ତି । କେହି ପଥିକ ସେମାନଙ୍କ ଗ୍ରାମରେ ଉପସ୍ଥିତ ହେଲେ ସେମାନେ ଅପଣା ଗ୍ରାମରେ ପ୍ରାପ୍ୟ ନାନାବିଧ ଖାଦ୍ୟସାମଗ୍ରୀ ଅଯାଚିତ ଭାବରେ ଯୋଗାନ୍ତି । ସ୍ତ୍ରୀମାନେ ମଧ୍ୟ ଆଦରପୂର୍ବକ ତାଙ୍କର ସମସ୍ତ ଅଭାବ ପୂରଣ କରିବାରେ ତତ୍‍ପର ଥାଇ ଜଳ ଓ କାଷ୍ଠାଦି ଆଣି ଦିଅନ୍ତି । ଅଭ୍ୟାଗତ ଯେତେଦିନ ଇଚ୍ଛା ତେତେଦିନ ରହିପାରନ୍ତି, ସେମାନେ ତାଙ୍କୁ ସେମାନଙ୍କଠାରୁ ଅନ୍ତର କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଆଗନ୍ତୁକ ବ୍ୟକ୍ତି ଯଦି ଜଣେ ରାଜକର୍ମଚାରୀ କିମ୍ବା କ୍ଷମତାଶାଳୀ ଲୋକ ହୁଅନ୍ତି, ତେବେ ଗ୍ରାମର ସ୍ତ୍ରୀମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଅଭିପ୍ରାୟରେ ଦଳବଦ୍ଧ ହୋଇ ହଳଦୀ ପାଣି ଓ ଖଣ୍ଡିଏ କାଷ୍ଠାସନ (ପିଢ଼ା) ଧରି ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଉକ୍ତ ଜଳରେ ତାଙ୍କର ପାଦ ଧୌତ କରିଦେବାକୁ ଓ କାଷ୍ଠାସନ ଉପରେ ଉପବେଶନ କରାଇବାକୁ ଇଚ୍ଛା ପ୍ରକାଶ କରନ୍ତି; ସେ ସମ୍ମତ ନ ହେଲେ ସୁଦ୍ଧା ଉକ୍ତ ଜଳରୁ କିଛି ଭୂମିରେ ଢାଳି ଦେଇ ଓ କାଷ୍ଠାସନ ଖଣ୍ତି ରଖି ଦେଇ ସେମାନଙ୍କ ମଧ୍ୟରେ ଅତି ବୃଦ୍ଧା ସ୍ତ୍ରୀଟି ଆଣ୍ଠୁମାଡ଼ି ବସି ହାତ ଭୂମିରେ ରଖି ନମସ୍କାର କରେ । ଏହାପରେ ଅନ୍ୟ ବୃଦ୍ଧାମାନେ ମଧ୍ୟ ତଦ୍ରୂପ କରନ୍ତି । ତତ୍‍ପରେ ସମସ୍ତେ ତାଙ୍କୁ ବିନୀତ ଭାବରେ କହନ୍ତି, ଆମ୍ଭେମାନେ ତ ଏପରି ଅବସ୍ଥାରେ ଅଛୁଁ, ଆମ୍ଭମାନଙ୍କର ଯାହା ଅଛି ସେଥିରୁ ଅଂଶ ଗ୍ରହଣ କରନ୍ତୁ । ଏହା କହି ତାଙ୍କୁ ମଣ୍ତପଘରକୁ (ଅତିଥିଶାଳା) ନେଇଯାନ୍ତି । ସେମାନେ ସ୍ୱଜାତିପ୍ରିୟ ଏକ ଜାତିଗତ ବନ୍ଧନ ପ୍ରଶ୍ନ ଏପରି ଆସ୍ଥା ଦେଖାନ୍ତି ଯେ, କୌଣସି କାର୍ଯ୍ୟ ଉପଲକ୍ଷରେ ଏକତ୍ରିତ ହେବାକୁ ଆହୂତ ହେଲେ ପ୍ରତ୍ୟେକେ (କାହାରି ଅନିଚ୍ଛା ସତ୍ତ୍ୱେ) ଉପସ୍ଥିତ ହେବାକୁ ବାଧ୍ୟ । କେହି ଉପସ୍ଥିତ ନ ହେଲେ ଜାତିପ୍ରତି ଅବମାନନା କଲା ବୋଲି ଭୂୟାଁନାମ ଧାରଣର ଅଯୋଗ୍ୟ ବିବେଚିତ ହୋଇ ପତିତ ହୁଏ-। ସେମାନଙ୍କର ଜାତିଗତ ଏକତା ଦୃଷ୍ଟିରେ ଏହା ସେମାନଙ୍କ ପକ୍ଷରେ ସମ୍ପୂର୍ଣ୍ଣ ସମ୍ଭବ ଯେ କେହି ସେମାନଙ୍କ ବଂଶାନୁକ୍ରମିକ ଓ ଆବହମାନକାଳରୁ ରକ୍ଷିତ ସ୍ୱତ୍ତୋପରି ହସ୍ତକ୍ଷେପ କରିବାକୁ ଏବଂ ସେମାନଙ୍କ ସ୍ୱାଧୀନତାହରଣାର୍ଥେ ସାମାନ୍ୟ ଚେଷ୍ଟାକଲେ ସେମାନେ ଇଚ୍ଛାମାତ୍ରକେ ସେମାନଙ୍କ ବାସଭୂମିରେ ବିଦ୍ରୋହାଗ୍ନି ପ୍ରଜ୍ଵଳିତ କରିପାରନ୍ତି ।

 

ଭୂୟାଁମାନଙ୍କ ଉତ୍ତେଜନା କହିଲେ ପ୍ରାୟ ସମସ୍ତ କେଉଁଝର ରାଜ୍ୟଟି ବିଦ୍ରୋହାଗ୍ନିରେ ପ୍ରଜ୍ଜ୍ଵଳିତ ବୋଲି ବୁଝିବାକୁ ହେବ । କାରଣ, ଆବହମାନ କାଳରୁ ସେମାନେ ଗଣ୍ଡ, ବାଥୁଡ଼ି, ସାଉନ୍ତି, ମଗଧାଗୋପାଳ ଏବଂ ଆପଣା ସମ୍ପ୍ରଦାୟର ଅନ୍ୟାନ୍ୟ ଶ୍ରେଣୀୟ ଆଦିମ ନିବାସୀମାନଙ୍କ ଉପରେ ଅସୀମ ଆଧିପତ୍ୟ ସ୍ଥାପନ କରି ଆସୁଅଛନ୍ତି । ଭୂୟାଁମାନେ ସଂଖ୍ୟାରେ ଅଳ୍ପ ହେଲେ ମଧ୍ୟ ରାଜ୍ୟସ୍ଥ ସମସ୍ତ ଲୋକଙ୍କ ଉପରେ ପ୍ରଭୂତ କ୍ଷମତା ବିସ୍ତାର କରି ଆସୁଥିବା ଅଦ୍ୟାବଧି ଦେଖାଯାଏ ।

 

ଅନ୍ୟାନ୍ୟ ସମସ୍ତ ଜାତି ସବୁବେଳେ ସେମାନଙ୍କ ପ୍ରତି ସନ୍ଦେହ କରନ୍ତି ଓ ସେମାନଙ୍କୁ ଭୟ କରନ୍ତି । ସେମାନେ ଯେଉଁ ଜାତିରୁ ଯାହା ନେବାକୁ ଚାହାନ୍ତି, ତାହା ଅକ୍ଳେଶରେ ନିଅନ୍ତି । ସେମାନଙ୍କ ନାମରେ ଐନ୍ଦ୍ରଜାଲିକ ଶକ୍ତି ନିହିତ ଥିଲା ପରି ବୋଧହୁଏ । କାରଣ, ୧୮୯୧ଠାରୁ ୧୮୯୩ ପର୍ଯ୍ୟନ୍ତ ଯେଉଁ ବିଦ୍ରୋହ ହୋଇଥିଲା, ତା’ର ପ୍ରଥମ ଅବସ୍ଥାରେ ରାଜ୍ୟସ୍ଥ ସମସ୍ତ ଲୋକେ ‘‘ଆପଣମାନେ ଆମ୍ଭମାନଙ୍କର ବଡ଼ ଭାଇ ଏବଂ ଆମ୍ଭେମାନେ ଆପଣମାନଙ୍କର ଆଶ୍ରିତ ଲୋକ, ଏଣୁ ଆପଣମାନଙ୍କ ଆଦେଶ କୌଣସିମତେ ଲଙ୍ଘନ କରିନପାରୁ” ଏହା କହି ସେମାନଙ୍କର ଦଳପତିମାନଙ୍କୁ ଲାଞ୍ଚ ଦେଇ ସେମାନଙ୍କର ଧନ, ଜୀବନ ରକ୍ଷା କରିବା ସକାଶେ ସେମାନଙ୍କଠାରେ ଶରଣାପନ୍ନ ହୋଇଥିଲେ ।

 

ଭୂୟାଁ ସ୍ତ୍ରୀମାନେ ଚାଷ, କ୍ରୀଡ଼ା, ପାରିଧି, କେବଳ ଏହି ତିନିଗୋଟି କାର୍ଯ୍ୟ ଛାଡ଼ି ଅବଶିଷ୍ଟ ସମସ୍ତ ସାଂସାରିକ କାର୍ଯ୍ୟ ନିଜେ ନିଜେ ନିର୍ବାହ କରିଥାନ୍ତି । ସେମାନେ ଅତ୍ୟନ୍ତ ସୁଶୀଳା ଅଟନ୍ତି । ସେମାନେ ଦୈନିକ ଖାଦ୍ୟ ସଂଗ୍ରହ କରି ଯାବତୀୟ ଗୃହକାର୍ଯ୍ୟ ପ୍ରତି ଦୃଷ୍ଟି ରଖନ୍ତି । ନୀଚତାଜ୍ଞାନ ସେମାନଙ୍କ ହୃଦୟରେ ପୋଷଣ କରନ୍ତି ନାହିଁ ଏବଂ ସେମାନେ ଶିଷ୍ଟବାକ୍ୟ ପ୍ରୟୋଗ କରି ଜାଣନ୍ତି ନାହିଁ । ସେମାନେ ଶିର ନ ନୁଆଁଇ ଦୁଇହସ୍ତ ଯୋଡ଼ିକରି କପାଳ ପର୍ଯ୍ୟନ୍ତ ଉଠାଇ ଉଚ୍ଚସ୍ୱରରେ ‘‘ସଲାମ’’ କହି ପ୍ରଣାମ କରନ୍ତି । ସେମାନେ ହିନ୍ଦୁମାନଙ୍କ ସଭ୍ୟତା ଓ ଧର୍ମର ଉତ୍କୃଷ୍ଟ ଅଂଶ ଅନୁକରଣ କରିବାକୁ ଯାଇ ସେମାନଙ୍କୁ ଦେଖାନ୍ତି ଯେ ସେମାନେ ହିନ୍ଦୁମାନଙ୍କଠାରୁ ଅଧିକ ଉନ୍ନତ । ସେମାନେ ଗର୍ବ କରନ୍ତି ଯେ ସେମାନେ ମାତୃଭକ୍ତ ସେମାନଙ୍କର ଏକ କଥା ଏବଂ ସେମାନଙ୍କ ସମାଜରେ ଏକତା ଅଛି, ମାତ୍ର ହିନ୍ଦୁମାନଙ୍କ ମଧ୍ୟରେ ଅସଂଖ୍ୟ ଜାତି ଗଠିତ ହୋଇ ଏକତା ବିନଷ୍ଟ ହୋଇଅଛି ।

☆☆☆

 

ଆକୃତି ଓ ବେଶଭୂଷା

 

ଭୂୟାଁମାନେ ସେମାନଙ୍କ ନିକଟରେ ବାସ କରୁଥିବା ଅନ୍ୟାନ୍ୟ ଅସଭ୍ୟ ଜାତିମାନଙ୍କଠାରୁ, ଦେଖିବାକୁ ଅଧିକ ସୁନ୍ଦର । ଦେହର ରଙ୍ଗ ଟିକିଏ ଶୁଭ୍ର, ମୁଖଶ୍ରୀ ତେତେ ସୁନ୍ଦର ନୁହେଁ । ମାତ୍ର ସେମାନେ ଅତି ସାହସୀ, ବଳବାନ ଓ କର୍ମଠ ଏବଂ ସାଧାରଣ ଭାବରେ ଡେଙ୍ଗା ଏବଂ ଅତି ଭାରିଦ୍ରବ୍ୟ ବହନ କରି ସରଳଭାବରେ ପର୍ବତ ଉପରେ ଏପରି ଦୁଇପାଦ ବିକ୍ଷେପ କରନ୍ତି ଯେ, ଅନ୍ୟ ଲୋକ ତାଙ୍କ ସଙ୍ଗରେ ଦଉଡ଼ି ପାରିବ ନାହିଁ । ସେମାନଙ୍କ ହସ୍ତ ଓ ପଦ ପୃଥୁଳ ଓ ଦୃଢ଼, ମୁଖ ଗୋଲ, ଓଷ୍ଠ ମୋଟ, ଗାଲର ହାଡ଼ ଉଚ୍ଚ ଏବଂ କୋହ୍ଲ ଓ ଗଣ୍ଡମାନଙ୍କ ପରି ନାକ ବଡ଼-। ଭୂୟାଁମାନଙ୍କର ଦାଢ଼ି ପ୍ରାୟ ନ ଥାଏ ଏବଂ ମୁଣ୍ଡର ବାଳ କୁଞ୍ଚିତ, କର୍କଶ ଓ କୃଷ୍ଣବର୍ଣ୍ଣ । ସ୍ତ୍ରୀ ଓ ପୁରୁଷ ଉଭୟେ ତୈଳ ଲଗାଇ ଓ କୁଣ୍ଡାଇ ବାଳ ବଢ଼ାନ୍ତି । ପୁରୁଷମାନେ କପାଳର ଉପରିଭାଗ କ୍ଷୌର ହୁଅନ୍ତି, ମାତ୍ର ଏହାଦ୍ଵାରା ସେମାନେ ଅଧିକ କୁତ୍ସିତ ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ କେତେକ ତୈଳ ନ ଲଗାଇ କିମ୍ବା ମୁଣ୍ଡ ନ କୁଣ୍ଡାଇ କେଶ ଜଟାରୂପେ ବଢ଼ାନ୍ତି । ପରିଧେୟ ବସ୍ତ୍ର ପୁରୁଷମାନଙ୍କ ପକ୍ଷରେ ପ୍ରୟୋଜନାତିରିକ୍ତ ବୋଧହୁଏ । ସେମାନେ ଅଣ୍ଟାରେ ଖଣ୍ଡେ ଦଉଡ଼ି ବାନ୍ଧି କେବଳ କୌପିନ ପରିଧାନ କରନ୍ତି । ସେମାନଙ୍କ ମଧ୍ୟରେ ଯେଉଁମାନେ ଅଧିକ ଉନ୍ନତ, ସେମାନେ ଆଣ୍ଠୁ ପର୍ଯ୍ୟନ୍ତ ବିସ୍ତୃତ ଖଣ୍ଡେ ଧୋତି ପିନ୍ଧନ୍ତି ।

 

ଭୂୟାଁ ସ୍ତ୍ରୀମାନଙ୍କଠାରେ କିଛି ବିଶେଷତ୍ୱ ଅଛି । ସେମାନେ ସେମାନଙ୍କ ଗ୍ରାମ ନିକଟରେ ବାସ କରୁଥିବା ବ୍ୟକ୍ତିମାନଙ୍କ ବୁଣା ଶାଢ଼ି ପରିଧାନ କରନ୍ତି । ମାତ୍ର ହିନ୍ଦୁ ସ୍ତ୍ରୀମାନଙ୍କ ପରି ଓଢ଼ଣା ପକାନ୍ତି ନାହିଁ । ସେମାନଙ୍କ ଶରୀର ଉଚ୍ଚ ଏବଂ ସୁନ୍ଦର ଭାବରେ ଗଠିତ, ସେମାନଙ୍କ ଭାବଭଙ୍ଗୀ ମନୋହର ଏବଂ ସେମାନେ ଅତି ସରଳା ଓ ନିର୍ଭୟା, ଅଧିକାଂଶ ବାହୁ ଓ ସ୍କନ୍ଧରେ ଚିତା କୁଟାନ୍ତି । ଅଳଙ୍କାର ମଧ୍ୟରେ କାନରେ ଓ ନାକରେ ଫାସିଆ, ବେକରେ ନାନା ରଙ୍ଗର ପଥର କଣ୍ଠିମାଳା, କେହି କେହି ସମୟ ସମୟରେ ପିତ୍ତଳର ମାଳା ପିନ୍ଧନ୍ତି ଏବଂ ଏହି ମାଳାସବୁ ବକ୍ଷଦେଶ ଆବୃତ କରି କୁକ୍ଷି ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ । ହସ୍ତରେ ବହୁସଂଖ୍ୟକ ସରୁ ସରୁ ପିତ୍ତଳ ବଳା ଲଗାନ୍ତି । ସେ ସବୁ ହସ୍ତର ସାମାନ୍ୟ ଗତିରେ ଝଣ ଝଣ ଶବ୍ଦ ଉତ୍ପାଦନ କରେ । ଅନେକେ ଗୋଡ଼ରେ ପିତ୍ତଳର ମୁଦିମାନ ଲଗାନ୍ତି । ପୁରୁଷମାନେ ଅଳଙ୍କାରପ୍ରିୟ ନୁହନ୍ତି । ସେମାନେ କେବଳ ବେକରେ ପଥର, କାଠ ଅବା ମଞ୍ଜର ଦୁଇ ତିନି ଗୋଟି ମାଳା ପିନ୍ଧନ୍ତି ଓ କେତେକ ପଇତା ପକାନ୍ତି । ଏହାଦ୍ୱାରା ତାଙ୍କର ଆଡ଼ମ୍ବର ଭିନ୍ନ ଧର୍ମଗତ ଭାବ ନ ଥାଏ । ସ୍ତ୍ରୀମାନେ ବନ୍ୟପୁଷ୍ପରେ ଅତି ଆଗ୍ରହ କରନ୍ତି । ପ୍ରାୟ ସମସ୍ତେ ସୁବାସିତ ପୁଷ୍ପର ଗୁଚ୍ଛ ଅବା ମାଳା ମୁଣ୍ଡରେ ଲଗାଇ ଥିବାର ଦେଖାଯାଏ ଓ ଜୁଡ଼ାକୁ ଅଧିକ ସୁନ୍ଦର କରିବା ଅଭିପ୍ରାୟରେ ଅଧିକ ଝୁମ୍ପା ଗୁଡ଼ାଇଥାନ୍ତି ।

☆☆☆

 

ଜାତିଗତ ସମ୍ମାନ

 

ଭୂୟାଁମାନେ କୁକ୍କୁଟ ଓ କୀଟାଦି ଭକ୍ଷଣ କରୁଥିଲେ ସୁଦ୍ଧା ସେମାନଙ୍କ ଚତୁର୍ଦ୍ଦିଗରେ ବାସ କରୁଥିବା ହିନ୍ଦୁମାନଙ୍କଦ୍ୱାରା ନୀଚ ଜାତି ବୋଲି ପରିଗଣିତ ହୁଅନ୍ତି ନାହିଁ, ଯେହେତୁ କିଲ୍ଲାର ସମସ୍ତ ଜାତି ସେମାନଙ୍କ ହସ୍ତରୁ ଜଳପାନ କରନ୍ତି । କାରଣ, କେନ୍ଦୁଝର ଦୁର୍ଗ ସ୍ଥାପିତ ହେବା ସମୟରୁ ସେମାନେ ରାଜବଂଶର ତତ୍ତ୍ଵାବଧାରକ ଥାଇ ଗୃହସମ୍ବନ୍ଧୀୟ ଅଧିକାଂଶ କାର୍ଯ୍ୟରେ ଯୋଗ ଦିଅନ୍ତି ଏବଂ ଅନ୍ତଃପୁର ଛପରବନ୍ଦି କରନ୍ତି । ଓଡ଼ିଶାର କରଦରାଜ୍ୟମାନଙ୍କରେ ହିନ୍ଦୁଧର୍ମର ନୀତି ରାଜାମାନଙ୍କଦ୍ୱାରା ପରିଚାଳିତ ହୁଏ । ରାଜା ଯେଉଁ ନୀତି ଅନୁସରଣ କରନ୍ତି, ରାଜ୍ୟର ସମସ୍ତ ଲୋକେ ସେହି ପଥରେ ଚାଲନ୍ତି । ବ୍ରାହ୍ମଣମାନେ ମଧ୍ୟ ସେମାନଙ୍କ ଆଚାର ବ୍ୟବହାର ଓ ଧର୍ମସମ୍ବନ୍ଧୀୟ ବିଧାନାଦିରେ ରାଜାଙ୍କ ପରମର୍ଶ ନିଅନ୍ତି ।

☆☆☆

 

ଭାଷା

 

ଭୂୟାଁମାନେ ଓଡ଼ିଆ ଭାଷାରେ କଥା କହନ୍ତି । ଉଚ୍ଚାରଣ ଓ ବ୍ୟବହାର ଦୋଷରୁ ସେମାନଙ୍କ କଥିତ କେତେକ ଶବ୍ଦ ଓଡ଼ିଆ ଭାଷାର ଅନ୍ତର୍ଗତ ବୋଲି ଜଣାପଡ଼େ ନାହିଁ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବାକ୍ୟ ସମ୍ବୋଧନସୂଚକ ବା ପ୍ରଶ୍ନବ୍ୟଞ୍ଜକ ଅଛି । ବାକ୍ୟଗୁଡ଼ିକ ସରଳ ଓ କ୍ଷୁଦ୍ର । ସେମାନଙ୍କ ସ୍ୱର ମୃଦୁ ଓ ଗଭୀର, କଥା ଅଧେ ଢୋକି ଢୋକି କହିବାରୁ ଅସ୍ପଷ୍ଟ ବୋଧହୁଏ । ସେମାନଙ୍କର କୌଣସି ସ୍ଵତନ୍ତ୍ର ଭାଷା ଥିବାର କୁହାଯାଇ ନ ପାରେ । ମାତ୍ର ବର୍ତ୍ତମାନ କଥିତ ଭାଷାରେ ଓଡ଼ିଆ ଭାଷାରୁ ପୃଥକ୍‍ କୌଣସି ଭାଷାର ଶବ୍ଦ ଶୁଣାଯାଏ ନାହିଁ । ସେମାନଙ୍କର ସ୍ୱତନ୍ତ୍ର ଭାଷା ଥିବାର କିମ୍ବଦନ୍ତୀ ମଧ୍ୟ ନାହିଁ ।

☆☆☆

 

ଆଚାର ବ୍ୟବହାର

 

ଭୂୟାଁମାନେ ନିଜ ଗ୍ରାମରେ ପ୍ରାୟ ବିବାହିତ ହୁଅନ୍ତି ନାହିଁ, କାରଣ ଗ୍ରାମବାସୀମାନଙ୍କ ସଙ୍ଗେ ପରସ୍ପର ଘନିଷ୍ଠ ସମ୍ବନ୍ଧ ଥାଏ । ପ୍ରାୟ ସେମାନେ ନିକଟବର୍ତ୍ତୀ ଅନ୍ୟ ଗ୍ରାମମାନଙ୍କରେ ବିବାହ କରନ୍ତି । ବ୍ୟଭିଚାର ପ୍ରତି ସେମାନଙ୍କର ଭୟ ଥାଏ । ଯେଉଁଠାରେ ବ୍ୟଭିଚାର ଦୋଷ ଲକ୍ଷିତ ହୁଏ, ସେଠାରେ ସେମାନେ ବୈବାହିକ ସମ୍ବନ୍ଧ ସ୍ଥାପନ କରନ୍ତି ନାହିଁ । ଆପଣା ସମ୍ପ୍ରଦାୟ ବା ଜାତି ମଧ୍ୟରେ ଆପଣା ଇଚ୍ଛାନୁସାରେ ସ୍ତ୍ରୀ ସ୍ଵାମୀ ନିର୍ବାଚନ କରିବା ଓ ପୁରୁଷ ସ୍ତ୍ରୀ ଗ୍ରହଣ କରିବା ସେମାନଙ୍କ ମଧ୍ୟରେ ନିଷେଧ ନାହିଁ । ନିଜ ଜାତିରୁ ପୃଥକ୍ ହେଲେ ଦୋଷାବହ; ଯେ ସେପରି କରେ, ସେ ପତିତ ବିବେଚିତ ହୁଏ । ଏହି ଅନାର୍ଯ୍ୟଜାତିମାନଙ୍କର ନୃତ୍ୟପ୍ରିୟତା ସ୍ଵାଭାବିକ ଗୁଣ । ପ୍ରାୟ ଗ୍ରାମବାସୀ ସମସ୍ତେ ନୃତ୍ୟରେ ଯୋଗ ଦିଅନ୍ତି । ସ୍ତ୍ରୀ ଓ ପୁରୁଷ ପରସ୍ପର ଆଡ଼କୁ ମୁଖ କରି ନିଜ ନିଜ ଶ୍ରେଣୀ ଧରି ଛିଡ଼ା ହୁଅନ୍ତି । ଭଲ ନୃତ୍ୟକାରୀ ଏକ କୋଣକୁ ରହେ । ପୁରୁଷମାନେ ଚାଙ୍ଗୁ ବଜାନ୍ତି ଓ ଗୀତ ଗାଆନ୍ତି, ସ୍ତ୍ରୀ ଓ ପୁରୁଷ ସମସ୍ତେ ନିଜ ନିଜ ଧାଡ଼ି ପୃଥକ୍ ରଖି ବୃତ୍ତାକାର ଗତିରେ ନାଚନ୍ତି । ସ୍ତ୍ରୀମାନେ ନିଜ ଶାଢ଼ିର ଅର୍ଦ୍ଧେକ ଓଢ଼ଣା ପକାଇ ଅଣ୍ଟାଠାରୁ ଶିର ପର୍ଯ୍ୟନ୍ତ ନୁଆଁଇ ପରସ୍ପର ହାତ ଧରି ନାଚନ୍ତି । ଯେତେବେଳେ, କୌଣସି ରସପୂର୍ଣ୍ଣ ମଧୁର ଗୀତ ବୋଲାଯାଏ, ସେତେବେଳେ ତାହାକୁ ଅଧିକ ଭାବପୂର୍ଣ୍ଣ କରିବାକୁ ପୁରୁଷମାନେ ମଧ୍ୟ ନଇଁ ନଇଁ ନାଚନ୍ତି । ଏହି ନୃତ୍ୟ କେବଳ ଆଗକୁ ଓ ପଛକୁ ଯଥାକ୍ରମେ ତିନିଥର ପଦବିକ୍ଷେପଦ୍ୱାରା ସମ୍ପାଦିତ ହୁଏ । ସମସ୍ତ ଦଳଟି ଗୋଟିଏ ପେଣ୍ଡୁଲମ୍ ପରି ଆଗକୁ ପଛକୁ ଚାଲୁଥିବାର ବୋଧହୁଏ । ଏହା ସେମାନଙ୍କର ଅତି ପ୍ରିୟ ନୃତ୍ୟ । ମଧ୍ୟେ ମଧ୍ୟେ ପରିବର୍ତ୍ତନ ପାଇଁ ବ୍ୟାଘ୍ର, ସର୍ପ ଓ ପକ୍ଷୀ ଗତିର ଅନୁକରଣରେ ନୃତ୍ୟ ହୁଏ । ବାଘନାଚ ଚାରି ଚାରି ଜଣ ଦ୍ୱାରା ହୁଏ । ସାପନାଚ ଶିରନତ କରି ମୁଖରୁ ମୁଖ ସମାନ ରଖି କରାହୁଏ । ଅଧିକ ବୟସ୍କ ଲୋକମାନେ ଚତୁର୍ଦ୍ଦିଗରେ ଗୋଲ ହୋଇ ବସି କେତେବେଳେ ଉତ୍ସାହବ୍ୟଞ୍ଜକ ବାକ୍ୟ ପ୍ରୟୋଗ କରୁଥାନ୍ତି, କେତେବେଳେ ବା ନୃତ୍ୟକାରୀମାନଙ୍କ କାର୍ଯ୍ୟର ସମାଲୋଚନାରେ ପ୍ରବୃତ୍ତ ଥାନ୍ତି ।

 

ଭୂୟାଁମାନେ ଏକତ୍ରିତ ହୋଇ ବାସ କରନ୍ତି । ଅନ୍ୟାନ୍ୟ ଜାତିମାନଙ୍କଠାରୁ ମଧ୍ୟ ପୃଥକ୍ ରହନ୍ତି । କୌଣସି ସାମାନ୍ୟ ବିଷୟରେ କିଛି ବିଚାର କରିବାକୁ ହେଲେ ସମସ୍ତେ ଏକତ୍ରିତ ହୋଇ ବସି ବିଚାର କରନ୍ତି ଓ ସମସ୍ତଙ୍କ ମତର ଐକ୍ୟାନୁସାରେ କାର୍ଯ୍ୟ କରନ୍ତି । ଏହି ପ୍ରଥାର ବଶବର୍ତ୍ତୀ ଥିବାରୁ କେହି ସେମାନଙ୍କ ମଧ୍ୟରୁ କୌଣସି ଲୋକକୁ ରାଜସ୍ୱ ଆଦାୟ ଦେବାକୁ କହିଲେ ସେ ‘‘ଅନ୍ୟମାନେ ଦେଲେ ମୁଁ ଦେବି” ଏହି ଉତ୍ତର ଦେଇ ଆସେ । ଯଦି ରାଜସ୍ଵ ସଂଗ୍ରହକାରୀ ଗୋଟିଏ ଗ୍ରାମର ରାଜସ୍ୱ ଆଦାୟ କରିପାରେ, ତେବେ ତାହାକୁ ଅନ୍ୟଗ୍ରାମ ମଧ୍ୟରେ କୌଣସି ଅସୁବିଧା ହୁଏ ନାହିଁ, କାରଣ ଗୋଟିଏ ଗ୍ରାମରୁ ଆଦାୟ ହେଲେ ଏ ଖବର ଅନ୍ୟଗ୍ରାମରେ ପ୍ରଚାରିତ ହୁଏ ଏବଂ ଅନ୍ୟ ଗ୍ରାମବାସୀମାନେ ଆହୂତ ନ ହୋଇ ଆପଣା ଅପଣା ଦେୟ ଦେଇଯାନ୍ତି ।

 

ଦେଶଭୂୟାଁମାନେ ପାହାଡ଼ିଆ ଭୂୟାଁମାନଙ୍କ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ବୋଲି ଦାବି କରନ୍ତି, ମାତ୍ର ସେମାନଙ୍କ ସଙ୍ଗେ ବୈବାହିକ ସମ୍ବନ୍ଧ ସ୍ଥାପନ କରନ୍ତି ନାହିଁ । କାରଣ ସେମାନେ କେତେକ ହିନ୍ଦୁ ରୀତିନୀତି ଅନୁସରଣ କରିଥାନ୍ତି । ସେମାନଙ୍କର ଭଣ୍ଡାରୀ ଓ ଧୋବା ସେବା କରନ୍ତି, ମାତ୍ର ପାହାଡ଼ିଆ ଭୂୟାଁମାନଙ୍କର ଏ ସବୁ ନ ଥାଏ, ଭୂୟାଁମାନେ ସମୟର ମୂଲ୍ୟ ବୁଝନ୍ତି ନାହିଁ । କୌଣସି ନିରୂପିତ ଦିବସରେ ଉପସ୍ଥିତ ହେବାକୁ ଆଦିଷ୍ଟ ହୋଇ ଅଧିକାଂଶ ସମୟରେ ଦିନେ ଦୁଇଦିନ ପରେ ଦେଖା ଦିଅନ୍ତି, ବିଳମ୍ବର କାରଣ ପଚାରିଲେ ସେମାନେ ଉତ୍ତର ଦିଅନ୍ତି “ମୋର ସେଦିନ କାର୍ଯ୍ୟ ଥିଲା, ଆଜି ଯାହା କରିବାର କର ।”

 

ବହୁକାଳରୁ ଏପରି ଗୋଟିଏ ରୀତି ପ୍ରଚଳିତ ଅଛି ଯେ ଏକଦଳ ପୁରୁଷ ଏକଦଳ ସ୍ତ୍ରୀଙ୍କ ସଙ୍ଗେ ଭେଟ ହେଲେ ପରସ୍ପର ଗୀତ ଛଳରେ ଉତ୍ତର ପ୍ରତ୍ୟୁତ୍ତର ଦେଇ ଆପଣା ମନୋଗତ ଭାବ ବ୍ୟକ୍ତ କରନ୍ତି । ଏପରି ସଙ୍ଗୀତରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଲିପ୍ତ ରହନ୍ତି । ସମୟ ସମୟରେ ସମସ୍ତ ଦିନ ଭୋଜନ ନ କରି ମଧ୍ୟ କଟାଇ ଦିଅନ୍ତି । ବିଶେଷତଃ ଧାନବୁଣା ଓ ରୁଆ ସମୟରେ ଏଥିର ଚର୍ଚ୍ଚା ବିଶେଷ ପରିମାଣରେ ହୁଏ । କାରଣ ସେ ସମୟରେ ଏକଗ୍ରାମରୁ ଅନ୍ୟଗ୍ରାମକୁ (ମଜୁରୀ ନେଇ କାର୍ଯ୍ୟ କରିବାକୁ) ଲୋକ ଯା’ନ୍ତି । ସ୍ତ୍ରୀ ବା ପୁରୁଷ ଏକଦଳ ଘଟନାକ୍ରମେ ଅନ୍ୟଦଳ ସଙ୍ଗେ ଭେଟ ହେଲେ ଉପରୋକ୍ତମତେ ସଙ୍ଗୀତରେ ଲିପ୍ତ ରହନ୍ତି ଏବଂ ପରସ୍ପର ମଧ୍ୟରେ ଜୟ, ପରାଜୟ ପାଇବା ପର୍ଯ୍ୟନ୍ତ ଗୀତ ବୋଲୁଥାନ୍ତି । ଅଧିକାଂଶ ସମୟରେ ସ୍ତ୍ରୀମାନେ ଜୟଲାଭ କରନ୍ତି ।

☆☆☆

 

ବିବାହ ପ୍ରଥା

 

ନାରୀ କିମ୍ବା ପୁରୁଷ ବୟଃପ୍ରାପ୍ତ ନ ହେଲେ ବିବାହ ବିଷୟରେ କୌଣସି କଥା ଉତ୍‍ଥାପିତ ହୁଏ ନାହିଁ । କେହି ଯୁବକ ବା ଯୁବତୀ ବିବାହ ପାଇଁ ଚେଷ୍ଟାକଲେ ତାହାର ପିତାମାତା କିମ୍ବା ଆତ୍ମୀୟବର୍ଗ କୌଣସି ବାଧା ଦିଅନ୍ତି ନାହିଁ, ବରଂ ଆବଶ୍ୟକମତେ ପରାମର୍ଶ ଦିଅନ୍ତି । ଯୁବକ ଓ ଯୁବତୀ ମଧ୍ୟରେ ପ୍ରଣୟ ଜନ୍ମିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବିତ ହୁଏ । ଯଥା– (୧) ଦୈନିକ ନୃତ୍ୟ ସମୟରେ ଯୁବକର ଏପରି ସ୍ଵାଧୀନତା ଥାଏ ଯେ, ଯେଉଁ ଯୁବତୀ ପ୍ରତି ତାହାର ପ୍ରଣୟ ଜନ୍ମେ, ସେ ହଠାତ୍ ତାହାର ହାତଧରି ଗୋଟିଏ ଗୁପ୍ତ ସ୍ଥାନକୁ ଝିଙ୍କି ନେଇଯାଏ ଏବଂ ସେମାନେ ଅନ୍ୟାନ୍ୟମାନଙ୍କ ଜ୍ଞାତସାରରେ ଦୁଇ କିମ୍ବା ତିନିଦିନ ସେ ସ୍ଥାନରେ ବାସ କରନ୍ତି । ଉକ୍ତ ସ୍ଥାନରୁ ସେମାନେ ଫେରିଲେ କନ୍ୟାପକ୍ଷ ବରର ପିତା ଗୃହକୁ ଯାଇ ଯୌତୁକାଦି ସ୍ଥିର କରନ୍ତି । (୨) ଅବିବାହିତା ଯୁବତୀମାନେ ଦଳବଦ୍ଧ ହୋଇ ଫଳମୂଳ ଆହରଣାର୍ଥେ ଜଙ୍ଗଲ ମଧ୍ୟକୁ ଯିବା ସମୟରେ କେହି ଯୁବକ ସେମାନଙ୍କ ମଧ୍ୟରୁ ଯେଉଁ ଯୁବତୀକୁ ଆପଣାର ସ୍ତ୍ରୀରୂପେ ବରଣ କରିବାକୁ ପୂର୍ବରୁ ସ୍ଥିର କରିଥାଏ, ତାହାର କେଶରେ ଗୋଟିଏ ଫୁଲ ଖୋସିଦିଏ; ଏହାର ଅଭିପ୍ରାୟ ଏହି ଯେ ଏହାଦ୍ୱାରା ସେ ପ୍ରତିଜ୍ଞା କଲା ଯେ ଏ ଯୁବତୀ ଛଡ଼ା ଅନ୍ୟ କାହାକୁ ସେ ସ୍ତ୍ରୀ କରିବ ନାହିଁ । ମଧ୍ୟ ଅନ୍ୟକେହି ଯୁବକ ସେ ଯୁବତୀ ଉପରେ ଦାବି କରିପାରିବ ନାହିଁ । ସାଧାରଣତଃ ଯେଉଁ ସୁଗନ୍ଧ ପୁଷ୍ପ ପେଣ୍ଡା ପେଣ୍ଡା ହୋଇ ଫୁଟେ ଏବଂ ରଙ୍ଗ ଶୁକ୍ଳ ହୋଇଥାଏ, ତାହା ଏ କାର୍ଯ୍ୟରେ ବ୍ୟବହୃତ ହୁଏ । ସମୟ ସମୟରେ ଉକ୍ତପ୍ରକାର ପୁଷ୍ପ ଦୁଷ୍ପ୍ରାପ୍ୟ ହେଲେ ରକ୍ତବର୍ଣ୍ଣ ପୁଷ୍ପ ମଧ୍ୟ ବ୍ୟବହୃତ ହୁଏ । ଯେଉଁ ପୁଷ୍ପ ସାଧାରଣତଃ ସ୍ତ୍ରୀମାନେ ଜୁଡ଼ାରେ ଲଗାନ୍ତି, ସେହି ପୁଷ୍ପ ଆବଶ୍ୟକ ବୋଲି ବିବେଚିତ ହୁଏ । (୩) ସମୟ ସମୟରେ ଜଙ୍ଗଲ ମଧ୍ୟରେ ଯାଉଥିବା ଯୁବତୀଦଳ ମଧ୍ୟରୁ ଗୋଟିକୁ ତାହାର ନାୟକ ହାତଧରି ଜଙ୍ଗଲ ମଧ୍ୟକୁ ଝିଙ୍କି ନେଇଯାଏ । ଏହା ହେଲେ ଅବଶିଷ୍ଟ ଯୁବତୀବର୍ଗ ସେ ଯୁବତୀର ଗ୍ରାମକୁ ଯାଇ ପ୍ରାଚୀନ ଲୋକମାନଙ୍କୁ ଡାକି କହନ୍ତି, ‘‘ଆମ୍ଭେମାନେ ଆଜି ବଣ ମଧ୍ୟରେ ଯାଉଥିବାବେଳେ ଗୋଟିଏ ବାଘ ଆମ୍ଭମାନଙ୍କର ଗୋଟିଏ ଭଉଣୀଙ୍କୁ ବୋହି ନେଇଗଲା ।’’ ଏହା ଶୁଣିଲାମାତ୍ରକେ ସମସ୍ତ ଗ୍ରାମବାସୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ (ଯେପରିକି ଯଥାର୍ଥରେ ବଣର ରାଜା ସଙ୍ଗେ ଲଢ଼େଇ କରିବାକୁ ଯାଉଅଛନ୍ତି) ସେହି ଯୁବତୀବର୍ଗଙ୍କ ସହ ଘଟନାସ୍ଥଳରେ ଉପସ୍ଥିତ ହୋଇ କେହି କହେ, ଏଠାରେ ଘୋଷରା ଚିହ୍ନ ଅଛି; କେହି କେହି ବା କହନ୍ତି, ଏଠାରେ ଲୁଗାଟା ପଡ଼ିଛି, ଏଠାରେ ହାତଟା ପଡ଼ିଛି, ଏହିପରି କହି କହି ବାଘକୁ ଖୋଜି ଖୋଜି ଅବଶେଷରେ ଯୁବକର ଗ୍ରାମକୁ ଆସି ତାହାର ଘରେ ପହଞ୍ଚିଲା ମାତ୍ରକେ ଉକ୍ତ ପ୍ରହସନଟି ଶେଷ କରିବାକୁ ଯାଇ କହନ୍ତି, ‘‘ଏଠାରେ କଣ୍ଠହାରଟି ପଡ଼ିଛି, ସେ ଦୁଷ୍ଟ ନିଶ୍ଚୟ ଏହିଠାରେ ଲୁଚିଛି-।’’ ଏହାପରେ ଚିତ୍କାର କରି ତାହାର ରକ୍ତ ଦାବି କରନ୍ତି ଏବଂ ଗ୍ରାମର ପୁରୁଖାମାନଙ୍କୁ ଡାକି ଯେଉଁ ନିର୍ବୋଧ ବାଳକ ସେମାନଙ୍କର ଗୋଟିଏ ବାଳିକାର ସ୍ଵାଧୀନତା ହରଣ କରିଅଛି ଏହାର ପ୍ରତିଫଳ ଦେବାପାଇଁ ତାକୁ ଛାଡ଼ିଦେବାକୁ ଅନୁରୋଧ କରନ୍ତି । ପୁରୁଖାଲୋକମାନେ ସେ ଯୁବକର ପକ୍ଷ ଗ୍ରହଣ କରି ମତପ୍ରକାଶ କରନ୍ତି, ଯେ ‘‘ସେ ପ୍ରକୃତରେ ଦୋଷ କରିଅଛି, କିନ୍ତୁ ଯାହା ହେବାର ଥିଲା, ତାହା ହେଲାଣି, ଏବେ ସେ ଦୁହିଁଙ୍କ ମଧ୍ୟରେ ବିବାହ ହେଉ । ତୁମ୍ଭେମାନେ ଯେ ତାହାର ରକ୍ତ ମାଗୁଅଛ, ସେଥିପାଇଁ ସେ ଟଙ୍କା ଓ ସମସ୍ତଙ୍କୁ ଭୋଜି ଦେବ ।” ଏହି କଥାଦ୍ଵାରା ପ୍ରତିହିଂସା-ଲିପ୍‍ସୁ ଯୁବକମାନଙ୍କର ଛଳନାସୂଚକ କୋପ ପ୍ରଶମିତ ହୁଏ । ସେମାନେ ଆନନ୍ଦରେ ସବିଧିରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଇ ନୃତ୍ୟ ଆରମ୍ଭ କରନ୍ତି ।

 

ଉପରୋକ୍ତ ଖୋଜିବା କାର୍ଯ୍ୟ ଯେପରି ଠିକ୍ ଗୋଟାଏ ମନୁଷ୍ୟକୁ ବାଘ ନେଇ ଗଲେ ଖୋଜାଯାଏ, ସେହିପରି ସମ୍ପନ୍ନ ହୁଏ । ଯେଉଁ ପରିବାରର ବାଳିକା ଅପହୃତ ହୋଇଥାଏ, ସେ ପରିବାର ଦୁଃଖ ପ୍ରକାଶ କରି କ୍ରନ୍ଦନ ମଧ୍ୟ କରନ୍ତି । ଗ୍ରାମବାସୀମାନଙ୍କର ଖୋଜିବା କାର୍ଯ୍ୟ ଏତେ ଉତ୍ସାହ ସହିତ ସମ୍ପାଦିତ ହୁଏ ଯେ, ଅବଶେଷରେ ଯଥାର୍ଥରେ ବାଘକୁ ମାରିଲେ ବୋଲି ସମସ୍ତେ ଜ୍ଞାନ କରନ୍ତି । (୪) କନ୍ୟାଲାଭ ପାଇଁ ଆଉ ଏକ ଉପାୟ ମଧ୍ୟ ଅବଲମ୍ବିତ ହୁଏ । ଏହା ଅତି ନିଷ୍ଠୁର ଭାବରେ ସମ୍ପାଦିତ ହୁଏ, ତେବେ ଏହା ଅତି ବିରଳ । ଅନ୍ୟାନ୍ୟ ଉପାୟ ଅବଲମ୍ବନ କରି ବିମୁଖ ହେଲେ ଶେଷରେ ଏ ଉପାୟର ଆଶ୍ରୟ ନେବାକୁ ହୁଏ । ଗୋଟିଏ ଯୁବକର କୌଣସି ଯୁବତୀ ପ୍ରତି ସ୍ନେହ ଜନ୍ମିଲେ ସେ ଯୁବତୀ ଯେବେ ଅନିଚ୍ଛା ପ୍ରକାଶ କରେ କିମ୍ବା ତାହାର ଅଭିଭାବକମାନଙ୍କର ମନାନ୍ତର ଥିଲେ ସେମାନେ ଯଦି ବାଧା ଜନ୍ମାନ୍ତି, ତେବେ ସେ ଯୁବକ ଆପଣା ସଙ୍ଗୀମାନଙ୍କୁ ଧରି ଲୁକ୍‍କାୟିତ ଭାବରେ ଯୁବତୀର ଗ୍ରାମକୁ ଯାଇ ପାଣିଘାଟ ଜଗି ରହେ । ସେ ଯୁବତୀ ପାଣି ନେବାକୁ ଆସିଲେ ଯୁବକଦଳ ବଳପୂର୍ବକ ତାକୁ ସେମାନଙ୍କ ଗ୍ରାମକୁ ବହି ନେଇଯାନ୍ତି-। ଏହି ସମ୍ବାଦ ପାଇ କନ୍ୟାପିତା ଆପଣା ଗ୍ରାମରୁ ବଳିଷ୍ଠ ଯୁବକମାନଙ୍କୁ ନେଇ ସେ କନ୍ୟାକୁ ଛଡ଼ାଇ ଆଣିବାକୁ ଯାଏ । ଉଭୟଦଳ ମଧ୍ୟରେ ଭୟାନକ ମାରପିଟ ହୁଏ । ଯଦି କନ୍ୟାପକ୍ଷ ଜୟଲାଭ କରନ୍ତି, ତେବେ ତାକୁ ନେଇ ଆସନ୍ତି । ଯଦି ପରାଜିତ ହୁଅନ୍ତି, ତେବେ ଛାଡ଼ିଦେଇ ଆସନ୍ତି । ଏପରି ମାଡ଼ ମରାମରି ହୁଅନ୍ତି ଯେ, କେତେକ ଲୋକ ସାଙ୍ଘାତିକରୂପେ ଆହତ ହୁଅନ୍ତି-। ଯେଉଁ ଗ୍ରାମରୁ କନ୍ୟା ନିଆଯାଏ, ସେ ଗ୍ରାମର ଲୋକସଂଖ୍ୟାକୁ ଦୃଷ୍ଟି ଦେଇ ବରପକ୍ଷ ଅଧିକ ଲୋକ ସଂଗ୍ରହ କରି ରଖିଥାନ୍ତି । ଏଣୁ ପ୍ରାୟ ଅନେକ ଘଟନାରେ ବରପକ୍ଷ ଜୟଲାଭ କରନ୍ତି-। ମାତ୍ର ଉକ୍ତ ଯୁବତୀଟି ସେ ଯୁବକର ଘରେ ନ ଖାଇବା ପର୍ଯ୍ୟନ୍ତ ଜୟଲାଭ ହେଲା ବୋଲି ବିବେଚିତ ହୁଏ ନାହିଁ । କାଳେ ବାପଘରକୁ ଲୁଚି ପଳାଇବ, ଏହି ଭୟରେ ତାକୁ ଗୋଟିଏ ଘରେ ବନ୍ଦ କରି ରଖନ୍ତି । କେବଳ ଗ୍ରାମର ଚତୁରା ସ୍ତ୍ରୀମାନେ ତାହା ନିକଟକୁ ଯାଇ ଭାତ ଖାଇବାକୁ ତାକୁ ପ୍ରବର୍ତ୍ତାନ୍ତି-। କେହି ୩-୪ ଘଣ୍ଟା, କେହି କେହି ଦିନେ ଦୁଇଦିନ ପରେ ଆୟତ୍ତାଧୀନ ହୁଅନ୍ତି । ଭାତ ଖାଇଲେ ବିବାହ ପରେ ସେ ଯେତେବେଳେ ଇଚ୍ଛା କରୁଥିବ, ବାପଘରକୁ ଯାଇପାରିବ, ଇତ୍ୟାଦି ପ୍ରଲୋଭନଦ୍ୱାରା ତାହାର ମନ ଭୁଲାଇ ତାକୁ ମୁକ୍ତ କରିଦିଅନ୍ତି-। ଏହା କେବଳ କନ୍ୟାକୁ ରାଜି କରିବାକୁ କରାଯାଏ । ମାତ୍ର ଯେପର୍ଯ୍ୟନ୍ତ ବରପକ୍ଷ ଆପଣା ଶକ୍ତି ଅନୁଯାୟୀ ଦେଶକୁ ଭୋଜି ଦେଇ ନାହିଁ, ସେପର୍ଯ୍ୟନ୍ତ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ନାହିଁ । ସ୍ତ୍ରୀମାନେ ଓ ଗ୍ରାମର ପୁରୋହିତ (ଯେ କି ଗ୍ରାମଦେବତାମାନଙ୍କୁ ପୂଜା କରି ବରକନ୍ୟାଙ୍କୁ ଆଶୀର୍ବାଦ କରେ) ଏହିମାନଙ୍କଦ୍ୱାରା ବିବାହକାର୍ଯ୍ୟ ବିଶେଷ ପରିମାଣରେ ଅନୁଷ୍ଠିତ ହୁଏ । ବର ଓ କନ୍ୟା ହଳଦୀ ଲଗାଇ ସ୍ନାନ କଲା ଉତ୍ତାରେ ନୂତନ ବସ୍ତ୍ର ଓ ଅଳଙ୍କାରରେ ବିଭୂଷିତ ହୋଇ ବେଦୀରେ ବସନ୍ତି-। ପିତା କିମ୍ବା ପିତା ନ ଥିଲେ ଅନ୍ୟ କେହି ସମ୍ପର୍କୀୟ ଲୋକ ଆପଣା ଦୁହିତା ବା ଆତ୍ମୀୟା ହାତରେ ଗୋଟିଏ ଟଙ୍କା ଦେଇ କହେ, ‘‘ମୋର ଯାହା ଥିଲା ତାହା ଦେଇ ଆଶୀର୍ବାଦ କରୁଅଛି ଯେ, ତୁ ଭାଗ୍ୟବତୀ ଏବଂ ସ୍ୱାମୀର ବିଶ୍ୱାସୀ ହୋଇ ଘର କର ।” ଏହାପରେ ଗ୍ରାମର ପୁରୁଖା ସ୍ତ୍ରୀମାନେ ବରକନ୍ୟା ମୁଣ୍ଡରେ ଅରୁଆ ଚାଉଳ ପକାଇ ଘିଅଦୀପରେ ବନ୍ଦାଇ ଉଠାଇ ନେଇଯାନ୍ତି । ବର ଓ କନ୍ୟା ଯେଉଁ ଘରେ ରହନ୍ତି, ପୂର୍ବରୁ ଗ୍ରାମର ପୁରୋହିତ (ଦେହୁରି) ସେ ଘରକୁ ପ୍ରତିଷ୍ଠା କରେ-। ଦୁଧ ଓ ଅରୁଆ ଚାଉଳଦ୍ୱାରା ଦେବତାମାନଙ୍କୁ ପୂଜା କରେ ଓ ଗୋଟିଏ ମାଟିପାତ୍ରରେ ଫୁଲ ପୂରାଇ ଘରର ଏକପାର୍ଶ୍ୱରେ ରଖିଦିଏ । ଏହି ମାଟିପାତ୍ର ତଳେ ପୂର୍ବପୁରୁଷମାନଙ୍କର ଆତ୍ମା ରହିଲେ ବୋଲି ଜ୍ଞାନ କରାଯାଏ I ବର ଓ କନ୍ୟା ପ୍ରତିଦିନ ତାହାକୁ ସେଠାରେ ପୂଜା କରନ୍ତି । କନ୍ୟାପିତା ଆପଣା ଶକ୍ତି ଅନୁସାରେ ଯୌତୁକ ମଧ୍ୟ ଦିଏ । ଧନୀ ଲୋକ ହେଲେ ଗାଈ, ବଳଦ, ଛେଳି ଓ ମେଣ୍ଢା ପ୍ରଭୃତି ଦିଆଯାଏ । ହିନ୍ଦୁମାନଙ୍କ ପରି ବିବାହକାର୍ଯ୍ୟ କନ୍ୟାଗୃହରେ ନ ହୋଇ ବରଗୃହରେ ସମ୍ପନ୍ନ ହୁଏ ।

 

ଦେଶଭୂୟାଁମାନଙ୍କ ମଧ୍ୟରୁ ଯେଉଁମାନେ ହିନ୍ଦୁମାନଙ୍କ ସଙ୍ଗେ ବାସ କରନ୍ତି ଓ ହିନ୍ଦୁରୀତି ଅନୁସାରେ ଚଳିବାକୁ ଇଚ୍ଛା କରନ୍ତି, ସେମାନଙ୍କ ମଧ୍ୟରେ ପିତାମାତା ବରକନ୍ୟା ମନୋନୀତ କରି ବିବାହ ଦିଅନ୍ତି । ମାତ୍ର ଏହା ଅତି ବିରଳ । ଅଧିକାଂଶ ଉପରୋକ୍ତ ପ୍ରଥାଗୁଡ଼ିକ ଅନୁସରଣ କରନ୍ତି । ସ୍ତ୍ରୀ ଓ ପୁରୁଷଙ୍କର ପରସ୍ପର ମନୋମାଳିନ୍ୟ ଘଟିଲେ ବିବାହବନ୍ଧନ ମଧ୍ୟ ଚ୍ଛେଦନ କରାହୁଏ । ବ୍ୟଭିଚାର ଦୋଷରେ ସ୍ୱାମୀ ସ୍ତ୍ରୀକୁ ଛାଡ଼ପତ୍ର (divorce) ଦିଏ । ସ୍ତ୍ରୀର ବ୍ୟଭିଚାର ଦୋଷ ସମାଜ ମଧ୍ୟରେ ପ୍ରକାଶିତ ହେଲେ ସ୍ୱାମୀ ତାହାକୁ ଛାଡ଼ି ନ ଦେବା ପର୍ଯ୍ୟନ୍ତ ଅଜାତି ହୋଇ ରହେ । ଯଦି କୌଣସି ସ୍ତ୍ରୀ ଆପଣା ଜାତି ମଧ୍ୟରେ ପାପପ୍ରଣୟ କରିଥାଏ, ତେବେ ସେ ଅଜାତି ନ ହୋଇ ସେ ପୁରୁଷର ଘରେ ରହେ ଓ ସେ ପୁରୁଷ ତାକୁ ସ୍ତ୍ରୀରୂପେ ରଖିବାକୁ ବାଧ୍ୟ ହୁଏ । ମାତ୍ର ଆପଣା ଜାତି ନ ହୋଇ ପୃଥକ୍ ଜାତି ହୋଇଥିଲେ ଉକ୍ତ ସ୍ତ୍ରୀଟି ଆଜୀବନ ପତିତା ହୋଇ ସମାଜରୁ ତାଡ଼ିତା ହୁଏ । ଭୂୟାଁମାନଙ୍କ ମଧ୍ୟରେ ସତୀତ୍ୱ ଧର୍ମ ବୋଲି ବିବେଚିତ ହୁଏ ନାହିଁ । କିନ୍ତୁ କୌଣସି ଯୁବତୀ ବ୍ୟଭିଚାରିଣୀ ପ୍ରମାଣିତ ହେଲେ ଗ୍ରାମର ପୁରୁଖା ପୁରୁଷ ଓ ସ୍ତ୍ରୀମାନଙ୍କ ଦ୍ୱାରା ଗୋଟିଏ ପଞ୍ଚାୟତ ବସେ । ଉକ୍ତ ପଞ୍ଚାୟତରେ ସେ ସ୍ତ୍ରୀଟି କେଉଁ ଲୋକଦ୍ଵାରା ନଷ୍ଟ ହୋଇଅଛି ବୋଲି ପ୍ରଶ୍ନ କରାଯାଏ-। ସେ ଯାହାର ନାମ କହେ, ସେ ପୁରୁଷକୁ ତାକୁ ଗତେଇ ଦେଇ (ଜିମା କରିଦେଇ) ଏହିପରି କହନ୍ତି, ‘‘ଏହା ଆମ୍ଭମାନଙ୍କର ଦୋଷ ଯେ ତୁମ୍ଭମାନଙ୍କର ବିବାହ ପୂର୍ବରୁ କରା ହୋଇନଥିଲା-। ତେବେ ରକ୍ତମାଂସ ଶରୀରରେ ଏପରି ଘଟନା ଘଟିଥାଏ ।’’ ଭୂୟାଁମାନେ ଦୃଢ଼ବିଶ୍ୱାସରେ ବିବାହବନ୍ଧନରେ ଆବଦ୍ଧ ଥା’ନ୍ତି । ବ୍ୟଭିଚାର ଓ ଛାଡ଼ପତ୍ର କ୍ଵଚିତ୍ ଦୃଷ୍ଟିଗୋଚର ହୁଏ-। ସ୍ତ୍ରୀ ପୁରୁଷର ଖାଦ୍ୟପାନାଦି ବିଷୟରେ ଯତ୍ନ କରେ ଏବଂ ସମସ୍ତ ଗୃହକର୍ମ କରି ଆବଶ୍ୟକ ହେଲେ ଚାଷକର୍ମରେ ମଧ୍ୟ ସାହାଯ୍ୟ ଦିଏ । ସ୍ୱାମୀ ସହ ଫଳମୂଳ ଆହରଣାର୍ଥେ ଜଙ୍ଗଲ ମଧ୍ୟକୁ ଯାଏ । ବହୁବିବାହ ଓ ବିଧବାବିବାହ ସେମାନଙ୍କ ମଧ୍ୟରେ ପ୍ରଚଳିତ ଅଛି, ମାତ୍ର ବିରଳ ଦେଖାଯାଏ-

☆☆☆

 

ଜନ୍ମ ମୃତ୍ୟୁ

 

ଜନ୍ମୋତ୍ସବ ଅତି ସାମାନ୍ୟ ଭାବରେ ଅନୁଷ୍ଠିତ ହୁଏ । କେବଳ ଜନ୍ମର ଦଶମ ଦିନ ଜ୍ଞାତି ଓ ବନ୍ଧୁମାନଙ୍କୁ ଗୋଟିଏ ଭୋଜି ଦିଆଯାଏ । ଏହାଦ୍ଵାରା ମାତା ଓ ପରିବାର ଶୁଦ୍ଧ ହୁଅନ୍ତି । ଦେଶଭୂୟାଁମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରଗଣାରେ ବାସ କରନ୍ତି, ସେମାନେ କ୍ଷୌର ପାଇଁ ଭଣ୍ତାରି ଓ ବସ୍ତ୍ର ପରିଷ୍କାର ପାଇଁ ରଜକ ଆବଶ୍ୟକ କରନ୍ତି । ମାତ୍ର ଯେଉଁମାନେ ଭୂୟାଁପୀଢ଼ରେ ରହନ୍ତି, ସେମାନଙ୍କ ମଧ୍ୟରୁ ଜଣେ କ୍ଷୌରକାର୍ଯ୍ୟ ନିର୍ବାହ କରନ୍ତି । ବସ୍ତ୍ର ଧୋଇବା ସେମାନେ ଆବଶ୍ୟକ ମନେକରନ୍ତି ନାହିଁ । ଯଦି ପ୍ରସବ ପୂର୍ବରୁ କୌଣସି ଗର୍ଭବତୀ ସ୍ତ୍ରୀ ମରିଯାଏ, ତେବେ ଏହା ପାପ ବୋଲି ବିବେଚିତ ହୁଏ । ମୃତସନ୍ତାନକୁ ଶବ ଦେହରୁ କାଢ଼ି ଗୋଟିଏ ଗିରିନଦୀର ଉଭୟ ପାର୍ଶ୍ଵରେ ମାତା ଓ ସନ୍ତାନକୁ ପୃଥକ୍‍ ପୃଥକ୍‍ ପୋତିଦେଲେ ଉକ୍ତ ପାପରୁ ମୁକ୍ତି ଲଭନ୍ତି । ଆଉ ମଧ୍ୟ ଏହାଦ୍ୱାରା ମୃତ ମାତା ଡାକିନୀ ହୋଇ ଗ୍ରାମବାସୀ ଅପର ସ୍ତ୍ରୀ ଓ ସନ୍ତାନମାନଙ୍କ ପ୍ରତି ଅତ୍ୟାଚାର କରିବା ଭୟ ଦୂର ହୁଏ । କାରଣ କୌଣସି ପ୍ରେତାତ୍ମା ନଦୀ ପାର ହୋଇପାରେ ନାହିଁ ଏବଂ ମୃତ ମାତାର ଅତ୍ମା ତାହାର ମୃତ-ସନ୍ତାନର ଆତ୍ମା ସହ ମିଳିତ ନ ହେଲେ ଡାକିନୀ ହୋଇପାରିବି ନାହିଁ ଏହା ସେମାନଙ୍କର ବିଶ୍ୱାସ ।

 

କେହି ଭୂୟାଁ ମଲେ ତାହାର ଜ୍ଞାତିମାନେ ଶୀଘ୍ର ତାହାକୁ ଜଙ୍ଗଲ ମଧ୍ୟରେ ପୋଡ଼ିଦିଅନ୍ତି । ଦଶମଦିନ ଗ୍ରାମବାସୀମାନଙ୍କୁ ଗୋଟିଏ ଭୋଜି ଦେଲେ ଶୁଦ୍ଧିଲାଭ କରନ୍ତି । ମାତ୍ର ଜଣେ ଭୂୟାଁ ମରିଗଲେ ମୃତ୍ୟୁସମ୍ବାଦ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ପଠାଇ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପାଦନ ପାଇଁ ଗ୍ରାମବାସୀମାନଙ୍କୁ ଡକାନ୍ତି । ମୃତ୍ୟୁଦିବସରୁ ଦଶମଦିନ ପର୍ଯ୍ୟନ୍ତ ନିକଟ ସମ୍ପର୍କୀୟା ସ୍ତ୍ରୀମାନେ ଅତି କରୁଣସ୍ୱରରେ ମୃତ୍ୟୁକଥାସୂଚକ ସଙ୍ଗୀତ ବୋଲି କ୍ରନ୍ଦନ କରନ୍ତି । ଏହା ଯେ ଥରେ ଶୁଣିଅଛି, ସେ ତାହା ଚିରଦିନ ମନରୁ ବିସ୍ମରଣ କରିବ ନାହିଁ । ଦେଶର ସମସ୍ତ ଲୋକ ଏକତ୍ରିତ ହୋଇ ଦଶମଦିନ ଭୋଜି ଖା’ନ୍ତି ଏବଂ ମୃତବ୍ୟକ୍ତିର ଉତ୍ତରାଧିକାରୀ ନିୟୋଗ କରନ୍ତି । ସାଧାରଣତଃ ଜ୍ୟେଷ୍ଠପୁତ୍ର ଉତ୍ତରାଧିକାରୀରୂପେ ମନୋନୀତ ହୁଏ ।

 

କେବଳ ଗର୍ଭବତୀ ସ୍ତ୍ରୀର ଶବ ଛଡ଼ା ଅନ୍ୟ ସମସ୍ତ ଶବକୁ ପୋଡ଼ନ୍ତି । ଭୂୟାଁମାନେ ଅତ୍ୟନ୍ତ କଷ୍ଟ ସ୍ଵୀକାର କରି ଶବକୁ ସୁନ୍ଦରରୂପେ ଗଭୀର ଗର୍ତ୍ତ ଖୋଳି ପୋତନ୍ତି । ଗର୍ତ୍ତ ଉପର ଉତ୍ତମରୂପେ ତୀକ୍ଷ୍ଣ କଣ୍ଟକଦ୍ୱାରା ଆଚ୍ଛାଦିତ କରିଦିଅନ୍ତି, ଯେପରି ବନ୍ୟଜନ୍ତୁମାନେ ମୃତଦେହକୁ ବାହାର କରି ନ ପାରିବେ । ଜଙ୍ଗଲ ମଧ୍ୟରେ ଥିବା ଯୋଡ଼ ବା ନାଳ ଶବ ପୋତାଯିବାର ପବିତ୍ର ସ୍ଥାନ ବୋଲି ବିବେଚିତ ହୁଏ । କାରଣ, ଯେଉଁ ବୈତରଣୀ ସେମାନଙ୍କ ବାସସ୍ଥଳୀର ପାହାଡ଼ମାନଙ୍କ ପାଦଦେଶ ଦେଇ ପ୍ରବାହିତ ହେଉଅଛି, ସମସ୍ତ ଝରଣା ସେହି ପବିତ୍ରନୀରା ବୈତରଣୀରେ ମିଶୁଅଛନ୍ତି ।

 

ମୃତ୍ୟୁସମ୍ପର୍କୀୟ ଭୋଜି ଦେବା କାର୍ଯ୍ୟ ନିର୍ବାହ ହେବାର ଅବ୍ୟବହିତ ପରେ ମୃତ ଲୋକର ଜ୍ଞାତିମାନେ ତାହାକୁ ସେମାନଙ୍କର ପୂର୍ବପୈତୃକ ଦେବତା ସହ ସ୍ଥାନ ଦେବା କାର୍ଯ୍ୟ ଆରମ୍ଭ କରନ୍ତି । ସମସ୍ତେ ଘର ମଧ୍ୟରେ ଧାଡ଼ି ଧାଡ଼ି ହୋଇ ବସନ୍ତି, ଗୋଟିଏ ବୋଦା ବଳି ଦିଆଯାଏ । ରକ୍ତ ଚାଟିବ (ଯାହା ବିଷୟରେ ଅନ୍ୟ ଅଂଶରେ କୁହାଯିବ) ସମସ୍ତ ପାଦଦେଶରେ ଢଳାଯାଏ । ଏହା ଉତ୍ତାରେ ସମସ୍ତେ ସ୍ୱର ଧରି ପିତୃମାନଙ୍କୁ ଡାକନ୍ତି ଓ ମୃତଲୋକଟିକୁ ସେମାନଙ୍କ ନିକଟରେ ସ୍ଥାନ ଦେବାକୁ ପ୍ରାର୍ଥନା କରନ୍ତି । ଗୋଟିଏ ପିଲା ମଲେ ବୋଦା ପରିବର୍ତ୍ତରେ ଗୋଟିଏ କୁକ୍କୁଟ ବଳି ଦିଆଯାଏ । ସମସ୍ତ ଘଟନାରେ ରକ୍ତ ଦେବାର ବିଧି ଅଛି ଏବଂ ଯେଉଁ ଜଳଦେବତାଙ୍କ ନିକଟରେ ରଖା ହୋଇଥାଏ, ତାହା ସମସ୍ତ ଜ୍ଞାତିଙ୍କ ଉପରେ ସିଞ୍ଚାଯାଏ । ଏହା ନ ହେଲେ ସେମାନେ ଶୁଦ୍ଧିଲାଭ କରନ୍ତି ନାହିଁ । କେବଳ ଦୁଇଗୋଟି ଘଟନାରେ ଉପରୋକ୍ତ କାର୍ଯ୍ୟ କରାଯାଏ ନାହିଁ । ଯଦି କୌଣସି ସ୍ତ୍ରୀ ଗର୍ଭବତୀ ହୋଇ ମରେ ଅଥବା କେହି କୁଷ୍ଠରୋଗରେ ମରେ, ସେମାନେ କେହି ପିତୃଗଣଙ୍କ ନିକଟରେ ସ୍ଥାନ ପାଇପାରନ୍ତି ନାହିଁ । କୁଷ୍ଠରୋଗୀ ଅତି ଘୃଣ୍ୟ ବିବେଚିତ ହୁଏ ଏବଂ ସେ ଅତି ଉତ୍କଟ ପାପ କରିଥିବାରୁ ଦେବତା ତାହାଠାରେ କୋପ କରିଥିବାର ଚିହ୍ନରୂପେ କୁଷ୍ଠରୋଗ ହେବା କଥା ଭୂୟାଁମାନେ ବିଶ୍ୱାସ କରନ୍ତି । ଯାହାଠାରେ ଏ ରୋଗ ହୁଏ, ସେ ଗ୍ରାମର ବାହାରେ ଘର କରି ରହେ ଏବଂ ଯେଉଁ ଘାଟରେ ଗ୍ରାମବାସୀମାନେ ସ୍ନାନ କରନ୍ତି, ସେ ସେଠାରେ ସ୍ନାନ ନ କରି ତଳେ ଗୋଟିଏ ପୃଥକ୍‍ ଘାଟରେ ସ୍ନାନ କରେ ।

☆☆☆

 

ଅସ୍ତ୍ର ଶସ୍ତ୍ର

 

ଭୂୟାଁମାନଙ୍କର ଆତ୍ମରକ୍ଷାର୍ଥ ପ୍ରଧାନ ଅସ୍ତ୍ର ଧନୁ ଓ ତୀର । ଏହାଦ୍ୱାରା ସେମାନେ ସୁନ୍ଦରରୂପେ ଲକ୍ଷ୍ୟ ବିନ୍ଧିପାରନ୍ତି । କେତେକ ତୀରର ଫଳକ ସାଂଘାତିକ ଆଘାତ ଦିଏ, ଧନୁ ପାକଳ ବାଉଁଶରେ ନିର୍ମିତ ହୁଏ । କେତେକ ମଧ୍ୟ ଅନ୍ୟପ୍ରକାର ନମନଶୀଳ କାଷ୍ଠରେ ହୋଇଥାଏ । ଗୁଣ ପଶୁଚର୍ମରେ ନ ହୋଇ ବାଉଁଶ ପାତିଆରେ ହୋଇଥାଏ ଓ ଶେଷଭାଗ ଚର୍ମଦ୍ୱାରା ଧନୁରେ ଲାଗିଥାଏ । ପକ୍ଷୀ ଓ ଅନ୍ୟ ଛୋଟ ଛୋଟ ଶିକାରପାଇଁ ତୀରର ଅଗ୍ରଭାଗରେ ଲୌହଫଳକ ପରିବର୍ତ୍ତରେ କାଷ୍ଠ ଦିଆଯାଇଥାଏ । ଧନୁ ଓ ତୀର ସଙ୍ଗରେ ଟାଙ୍ଗିଆ ମଧ୍ୟ ଥାଏ । କୌଣସି ଭୂୟାଁ ଧନୁ, ତୀର ଓ ଟାଙ୍ଗିଆ ଛଡ଼ା ଅରଣ୍ୟକୁ ଯାଏ ନାହିଁ । ଜନ୍ତୁର ଗଳଦେଶକୁ ସେମାନେ ଆଗ୍ରହ ସହିତ ଲକ୍ଷ୍ୟ କରି ତୀର ଛାଡ଼ନ୍ତି, ଏତେ ବଳରେ ବିନ୍ଧନ୍ତି ଯେ ପ୍ରାୟ ତୀରର ସମସ୍ତ ଅଂଶ ଜନ୍ତୁ ଦେହରେ ପ୍ରବେଶ କରେ । ପକ୍ଷୀ ଶିକାର ସାଧାରଣତଃ ରାତ୍ରରେ ହୁଏ । ଯେଉଁ ଗଛରେ ପକ୍ଷୀ ବିଶ୍ରାମ କରନ୍ତି, ସେମାନେ ଦିନବେଳେ ଅନୁସନ୍ଧାନ କରିଥାନ୍ତି । ସନ୍ଧ୍ୟାବେଳେ ଶିକାରୀ ଆସ୍ତେ ଗଛ ଉପରେ ଚଢ଼ି ‘ହୁଳା’ଦ୍ୱାରା ଚତୁର୍ଦ୍ଦିଗ ଆଲୋକିତ କରିଦିଏ । ଏହାଦ୍ୱାରା ପକ୍ଷୀମାନେ ଜଳକା ହୋଇଯାନ୍ତି ଓ ଶିକାରୀକୁ ଲକ୍ଷ୍ୟସ୍ଥାନ ମଧ୍ୟ ଦେଖାଯାଏ ।

 

କାଣ୍ଡ ବାଉଁଶ ଓ ଟାଙ୍ଗିଆ ଛଡ଼ା ସେମାନେ ବକ୍ରାକୃତି ଖଡ୍‍ଗ, ଛିଟିକିଣି ଏବଂ ସୁନ୍ଦରରୂପେ ନିର୍ମିତ ଲୌହଚକ୍ର ବ୍ୟବହାର କରନ୍ତି । ଏହି ଲୌହଚକ୍ରର ବ୍ୟାସ ୬ ଇଞ୍ଚରୁ ୮ ଇଞ୍ଚ ପର୍ଯ୍ୟନ୍ତ ଏବଂ ତାହାର ଦିଗ ଅତି ଦକ୍ଷତା ସହିତ ତୀକ୍ଷ୍ଣଧାର କରାହୋଇଥାଏ । ଏହାର ବ୍ୟବହାର ଅତି ଆଶ୍ଚର୍ଯ୍ୟଜନକ ଅଟେ । ଯେତେଦୂର ପର୍ଯ୍ୟନ୍ତ ଦୃଷ୍ଟି ଯାଏ, ତେତେଦୂର ପର୍ଯ୍ୟନ୍ତ ଏହାକୁ ତର୍ଜନୀ ଅଙ୍ଗୁଳିରେ ଘୂରାଇ ଘୂରାଇ ଛାଡ଼ିଦିଅନ୍ତି । ଧନୁ ଯେଉଁ ଦିଗକୁ ପଡ଼େ, ସେହି ଦିଗକୁ ଗଲେ ଜୟ ହେବ ବୋଲି ବିଶ୍ୱାସ କରି ଗମନ କରନ୍ତି । ଗତ ବିଦ୍ରୋହରେ ମଧ୍ୟ ସେମାନେ ଏହି ପ୍ରଥା ଅବଲମ୍ବନ କରିଥିଲେ ।

 

ଅସ୍ତ୍ର ଛଡ଼ା ସେମାନଙ୍କର କେତେକ ବାଦ୍ୟଯନ୍ତ୍ର ଅଛି । ଯାହା ଉତ୍ସବାଦିରେ, ଯୁଦ୍ଧଯାତ୍ରାରେ ଏବଂ ପ୍ରଧାନ ବିବାହରେ ବ୍ୟବହୃତ ହୁଏ । ଯୁଦ୍ଧପାଇଁ ଆହ୍ଵାନ କଲେ ବା କୌଣସି ବିଷୟ ଗ୍ରାମରେ ନିଷେଧ କରିବାକୁ ହେଲେ ‘ଶିଙ୍ଗା’ ବ୍ୟବହାର କରନ୍ତି । ମାତ୍ର ଏକପ୍ରକାର ବାଦ୍ୟ ସକଳ ଉତ୍ସବାଦିରେ ନୃତ୍ୟ କଲାବେଳେ ବ୍ୟବହୃତ ହୁଏ । ଖଞ୍ଜନି ଆକୃତି ପରି ଅତି ବୃହଦାକାର ଚାଙ୍ଗୁ ନାମକ ବାଦ୍ୟ ସେମାନଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଅଟେ ।

☆☆☆

 

ଗ୍ରାମ

 

ପ୍ରାୟ ପ୍ରତ୍ୟେକ ଭୂୟାଁ ଗ୍ରାମ ଦୁଇ ସାହାଡ଼ା ଅର୍ଥାତ୍‍ ଧାଡ଼ିରେ ବସିଥାଏ । ମଧ୍ୟରେ ପ୍ରଶସ୍ତ ଦାଣ୍ଡ ଥାଏ । ଗୋଟିଏ ଘର ଅନ୍ୟ ଘରକୁ ନ ଲାଗି ପୃଥକ୍‍ ଭାବରେ ଅବସ୍ଥିତ ହୋଇଥାଏ । ଶତ୍ରୁ କିମ୍ବା ହିଂସ୍ରଜନ୍ତୁମାନଙ୍କ ଆକ୍ରମଣର ଭୟ ହେଲେ ସମସ୍ତ ଗ୍ରାମବାସୀ ଶବ୍ଦ ମାତ୍ରେ ଘରୁ ବାହାରି ଦାଣ୍ଡରେ ଯେପରି ଅଳ୍ପ ସମୟ ମଧ୍ୟରେ ଏକତ୍ରିତ ହୋଇପାରିବେ, ସେହିପରି ଭାବରେ ଗ୍ରାମଟି ବସିଥାଏ । ଗୃହଗୁଡ଼ିକ ବଡ଼ ନ ହୋଇ କୁଡ଼ିଆଘର ପରି କ୍ଷୁଦ୍ରାକାରରେ ଗଠିତ । ଧନୀ ଲୋକର ଗୃହ ବ୍ୟତୀତ ସାଧାରଣ ଗୃହରେ ମାଟିର କାନ୍ଥ ଥାଏ । ଯେପରି କୂପମାନଙ୍କରେ କାଠ ବସେ, ସେହିପରି ଲମ୍ବଭାବରେ ଗୋଟିଏ ଉପରେ ଗୋଟିଏ କାଠ ଥୋଇ ଥୋଇ ଉପରକୁ ଉଠାଇ ନିଅନ୍ତି । ଭିତର ପାଖ ସନ୍ଧିମାନଙ୍କରେ ମାଟି ଦେଇଥାନ୍ତି । ଗୃହଗୁଡ଼ିକ ଅତି ଯତ୍ନରେ ପରିଷ୍କାର ରଖିଥାନ୍ତି ।

 

ଗ୍ରାମମାନ ଝଙ୍କାଳିଆ ପଣସଗଛମାନଙ୍କଦ୍ୱାରା ବେଷ୍ଟିତ ହୋଇ ଗୋଟିଏ ଗୋଟିଏ ପର୍ବତର ପାଦଦେଶରେ (ଯେଉଁଠାକୁ ବଢ଼ିପାଣି ଯାଇ ନ ପାରେ କିମ୍ବା ଯାହା ନିକଟରେ ସୁନ୍ଦର କାଠମାନ ଥାଏ ସେହିପରି ସ୍ଥାନମାନଙ୍କରେ) ସ୍ଥାପିତ ହୋଇଥାଏ । ଗୋଟିଏ ଗୋଟିଏ ଗ୍ରାମ ଗୋଟିଏ ଗୋଟିଏ ହୁଡ଼ି ଉପରେ ଥାଏ । ଯେଉଁ ସ୍ଥାନରେ ଗୋଟିଏ କିମ୍ବା ଅଧିକ ଝରଣା ବା ଗିରିନଦୀ ପ୍ରବାହିତ ହେଉନଥାଏ ସେଠାରେ ସେମାନେ ବାସଭୂମି କରନ୍ତି ନାହିଁ । ପ୍ରାୟ ସମସ୍ତ ଗ୍ରାମରେ ପ୍ରଧାନ ଘର ମଧ୍ୟସ୍ଥଳରେ ଥାଏ ଓ ଏହା ଚାରିପାଖରେ ବୃହତ୍‍ ବୃହତ୍‍ ପଣସ ଗଛ ରହିଥାଏ । ଏଗୁଡ଼ିକ ଭୂୟାଁମାନେ ଗ୍ରାମଦେବତାଙ୍କୁ ଦେଇଥାନ୍ତି । ଭୂୟାଁମାନେ ପଣସର ଅତି ପ୍ରିୟ । ଯେଉଁଠାରେ ପଣସ ଗଛ ଭଲ ନ ହୁଏ କିମ୍ବା ଫଳ ବିଶେଷରୂପେ ନ ଧରେ, ସେମାନେ ସେ ସ୍ଥାନ ଛାଡ଼ିଦେଇ ଅନ୍ୟ ବଳିଷ୍ଠ ଭୂମି ମନୋନୀତ କରନ୍ତି । ପ୍ରଧାନର ଘର ନିକଟରେ ଗୋଟିଏ ବୃହତ୍‍ ଝଙ୍କାଳିଆ ଛାୟାପ୍ରଦ ବୃକ୍ଷ ତଳେ ଦରବାର ବା ମଣ୍ଡପଘର ନିର୍ମିତ ହୋଇଥାଏ । ଏହା ଅତିଥିଶାଳା ଅଟେ । ଗ୍ରାମର ସମସ୍ତ ଗୃହ ଅପେକ୍ଷା ଏହା ଅତି ବୃହତ୍‍ ଓ ସୁନ୍ଦରରୂପେ ଗଠିତ । ଏହା ସମ୍ମୁଖରେ ଅତି ପ୍ରଶସ୍ତ ନୃତ୍ୟଭୂମି । ଗଛ ମୂଳରେ ବସିବାକୁ ଗୋଟିଏ ପଟା ଭାଡ଼ି ଥାଏ । ଭାଡ଼ି ନିକଟରେ ବଡ଼ ବଡ଼ କାଠଗଣ୍ଡିଦ୍ୱାରା ସମସ୍ତ ଦିନ ଓ ରାତ୍ର ଗୋଟିଏ ଧୂନି ଲାଗିଥାଏ । ଏହାର କାଠ ଯୋଗାଇବା ଭାର ଧାଙ୍ଗଡ଼ାମାନଙ୍କ (ଅବିବାହିତ ଯୁବକ) ଉପରେ ଥାଏ । ସେମାନେ କାମରୁ ଫେରିବା ସମୟରେ ପ୍ରତ୍ୟେକ ଧାଙ୍ଗଡ଼ା ଗୋଟିଏ ଲେଖାଏଁ ଗଡ଼ କାନ୍ଧରେ ବହି ଆଣି ଉକ୍ତ ଗଛକୁ ଡେରି ଦେଇଥାନ୍ତି । ଧାଙ୍ଗଡ଼ୀମାନଙ୍କ (ଅବିବାହିତା ଯୁବତୀ) ଉପରେ ମଣ୍ତପଘର ଲିପିବା କାର୍ଯ୍ୟ ନ୍ୟସ୍ତ ଥାଏ । ସେମାନେ ଆଗ୍ରହ ସହକାରେ ଉକ୍ତ ଘରକୁ ସର୍ବଦା ପରିଷ୍କାର ରଖିଥାନ୍ତି ।

 

ଧାଙ୍ଗଡ଼ା ଓ ଧାଙ୍ଗଡ଼ୀମାନେ ସମସ୍ତ ଦିନ ପରିଶ୍ରମ କରି ସନ୍ଧ୍ୟା ସମୟରୁ ଭୋଜନ କରି ଭୂୟାଁପୀଢ଼ର ଅତ୍ୟଧିକ ଶୈତ୍ୟ ଓ ଗ୍ରୀଷ୍ମ ପ୍ରତି ଆସ୍ଥା ନ ରଖି ଆନନ୍ଦରେ ପ୍ରାୟ ସମସ୍ତ ରାତ୍ର ନୃତ୍ୟରେ କଟାଇ ଦିଅନ୍ତି । ଦିନେ ଦିନେ ସକାଳ ଘଡ଼ିଏ ବା ଦୁଇଘଡ଼ି ବେଳ ପର୍ଯ୍ୟନ୍ତ ନୃତ୍ୟ ହେଉଥାଏ । ଧାଙ୍ଗଡ଼ାମାନେ ସମସ୍ତେ ନିଜ ଘରେ ନ ରହି ଉକ୍ତ ମଣ୍ତପଘରେ ଶୁଅନ୍ତି ।

 

ପ୍ରତ୍ୟେକ ଭୂୟାଁ ପ୍ରତ୍ୟେକ ଫସଲ ଅମଳ କରି ଗୃହକୁ ଆଣିବା ସମୟରେ ପ୍ରଥମେ କିଛି କିଛି ମଣ୍ତପଘରେ ଦେଇଯାଏ । ଏହିପରି ସମସ୍ତ ଗ୍ରାମବାସୀମାନଙ୍କଦ୍ୱାରା ଏକତ୍ରିତ ଶସ୍ୟ ଛୋଟ ଓଳିଆ କିମ୍ବା ସିଆଡ଼ିପତ୍ରଦ୍ୱାରା ଉତ୍ତମରୂପେ ବନ୍ଧାହୋଇ ଉକ୍ତ ଘର ଛପରରେ ଝୁଲା ହୋଇଥାଏ । ବଡ଼ ବଡ଼ ଓଳିଆ ଗୃହରେ (ଗୃହର ଏକପାର୍ଶ୍ୱରେ) ରଖା ହୋଇଥାଏ । କେହି ଆଗନ୍ତୁକ ଆସିଲେ ଗ୍ରାମର ପୁରୁଖା ସ୍ତ୍ରୀମାନେ ଉକ୍ତ ସଞ୍ଚିତ ଶସ୍ୟରୁ ତାଙ୍କର ଆହାର୍ଯ୍ୟ ପଦାର୍ଥ ଯୋଗାନ୍ତି । ପ୍ରତିଦିନ ପାଳିକରି ଦୁଇଜଣ କିମ୍ବା ବୃହତ୍‍ ଗ୍ରାମରେ ଚାରିଜଣ ପର୍ଯ୍ୟନ୍ତ ଲୋକ ଉକ୍ତ ଗୃହ ନିକଟରେ ବସିଥାନ୍ତି । କେହି ଅତିଥି ବା ରାଜକର୍ମଚାରୀ ଉପସ୍ଥିତ ହେବା ମାତ୍ରକେ ଆଗ୍ରହ ସହିତ ତାଙ୍କର ସମସ୍ତ ଅଭାବ ଦୂର କରିବାରେ ବ୍ୟସ୍ତ ହୁଅନ୍ତି । ଏମାନଙ୍କଠାରୁ ଏପରି ସାହାଯ୍ୟ ମିଳେ ଯେ, ତାହା ବେତନଭୋଗୀ ଭୃତ୍ୟଠାରୁ ମିଳିବା କଠିନ । ଉକ୍ତ ବ୍ୟକ୍ତି ଅନ୍ୟସ୍ଥଳକୁ ଯିବା ପାଇଁ ଇଚ୍ଛା କଲା ମାତ୍ରକେ ସେହି ପାଳିଆମାନେ ତାଙ୍କର ବୋଝ ବୋହିନେଇ ଛାଡ଼ିଦେଇଥାନ୍ତି । ଏଥିପାଇଁ ପଇସା ଚାହାନ୍ତି ନାହିଁ । ଦେଲେ ମଧ୍ୟ ଅଧିକାଂଶ ପାଳିଆ ନେବାକୁ ଇଚ୍ଛା କରନ୍ତି ନାହିଁ । ଗ୍ରାମର ବାହାର ସୀମାରେ ପାଣ ଓ କୋହ୍ଲମାନେ ବାସ କରନ୍ତି । ସେମାନେ ଆବହମାନକାଳରୁ ସେମାନଙ୍କ ସଙ୍ଗେ ରହିଅଛନ୍ତି । ପାଣମାନେ ଲୁଗା ବୁଣିବା ଓ ଉତ୍ସବାଦିରେ ବାଦ୍ୟ ବଜାଇବା ଏବଂ କୋହ୍ଲମାନେ ଗୋରୁଆଦି ମଲେ ଶବ ଉଠାଇବା ପ୍ରଭୃତି ନିକୃଷ୍ଟ କାର୍ଯ୍ୟମାନ କରନ୍ତି । ଭୂୟାଁମାନେ ଏମାନଙ୍କଠାରୁ ଜଳ କିମ୍ବା କୌଣସି ପ୍ରକାର ଖାଦ୍ୟଦ୍ରବ୍ୟ ସ୍ପର୍ଶ କରନ୍ତି ନାହିଁ ।

 

ଅଧିକାଂଶ ଗ୍ରାମ ନିକଟରେ ଗୋପାଳମାନଙ୍କର ବାସ ଥାଏ । କେହି କେହି ଆବହମାନକାଳରୁ ଗୃହ କରି ରହିଅଛନ୍ତି, କେହି ବା ମଇଁଷି ଚରିବାର ଯଥେଷ୍ଟ ଚରାଭୂମି ସେ ଅଞ୍ଚଳରେ ଥିବା ଯୋଗେ ଦୋଘରା କରି ରହିଥାନ୍ତି । ଭୂୟାଁମାନେ ସେମାନଙ୍କଠାରୁ କୌଣସି କର ନିଅନ୍ତି ନାହିଁ, ମାତ୍ର ଅତିଥି ବା ରାଜକର୍ମଚାରୀ ଆସିଲେ ସେମାନଙ୍କ ପ୍ରୟୋଜନୀୟ ଦୁଧ, ଦହି, ଛେନା ଓ ଘିଅ ପ୍ରଭୃତି ସେମାନେ ବିନା ପଇସାରେ ଯୋଗାଇବାକୁ ବାଧ୍ୟ ହୁଅନ୍ତି ।

 

ଭୂୟାଁମାନେ ନିଜ ନିଜ ଭୂମିଖଣ୍ଡମାନଙ୍କୁ ନିଜର ଜମିଦାରୀ ବୋଲି ମନେକରନ୍ତି । ସେମାନଙ୍କ ହୃଦୟରେ ସ୍ୱାଧୀନତା ଭାବ ସବୁବେଳେ କ୍ରୀଡ଼ା କରୁଥାଏ । ଅନ୍ୟାନ୍ୟ ସ୍ୱାଧୀନ ଜାତିପରି ସେମାନଙ୍କ ପ୍ରତ୍ୟେକ ଧମନୀରେ ସ୍ୱାଧୀନତାର ଉତ୍ସ ପ୍ରବାହିତ । ପ୍ରତ୍ୟେକ ଭୂୟାଁ ତାହାର ନିଜ ଜମି ଚାଷ କରେ । କେହି ଚାଷ ବା ଶିକାର ଛଡ଼ା ଅନ୍ୟ ବ୍ୟବସାୟ ଗ୍ରହଣ କଲେ ସେମାନେ ତାକୁ ଘୃଣା କରନ୍ତି ।

 

ପିଲାକାଳରୁ ଭୂୟାଁମାନେ ଆପଣାକୁ ସ୍ୱାଧୀନ ଏବଂ ଗୋଟିଏ ଅଦମ୍ୟ ଜାତିରୁ ସମ୍ଭୂତ ବୋଲି ମନେକରନ୍ତି । ପ୍ରଧାନ ବ୍ୟବସାୟ ଚାଷ ଓ ଅବସର ସମୟ ଆମୋଦପ୍ରମୋଦ ପାଇଁ ନୃତ୍ୟ ଓ ଶିକାରରେ କଟାଇବା ସେମାନେ ନିଜର କର୍ତ୍ତବ୍ୟ ବୋଲି ମନେକରନ୍ତି । ଫସଲ ବୁଣା ଓ ଅମଳ ସମୟରେ ସେମାନେ ଅତି ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗକରି ଫଳ, ମୂଳ ଓ ଶାକାଦି ଖାଇ କାକର ନ ଛାଡ଼ୁଣୁ ହଳ ନେଇ ବାହାରନ୍ତି ଓ ଅବିଶ୍ରାନ୍ତ ଭାବରେ ଚଉଦ ଘଡ଼ି ପର୍ଯ୍ୟନ୍ତ ଚାଷ କରନ୍ତି । ଯଦି ଜଙ୍ଗଲ କାଟିବା କାର୍ଯ୍ୟରେ ଲିପ୍ତ ରହନ୍ତି, ତେବେ ମଧ୍ୟାହ୍ନ ସମୟରେ ଆଉଥରେ ଖାଇ ଟିକିଏ ବିଶ୍ରାମ କରନ୍ତି, କିନ୍ତୁ ହଳ କାର୍ଯ୍ୟ ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟ କରି ନିକଟବର୍ତ୍ତୀ ଝରଣାରେ ସ୍ନାନ କରି ଘରକୁ ଫେରନ୍ତି ଓ ଭାତ ଖାଇ ବା ଫଳମୂଳ ଖାଇ ନୃତ୍ୟଭୂମିରେ ଉପସ୍ଥିତ ହୁଅନ୍ତି ।

 

ସେମାନଙ୍କ ଚାଷଭୂମିକୁ କମାଣ କହନ୍ତି । ଗୋଟିଏ ଗ୍ରାମବାସୀ ଗୋଟିଏ ପାହାଡ଼କୁ ହାଣି ବର୍ଷେ. ବା ଦୁଇ ବର୍ଷ ଫସଲ କରି ଛାଡ଼ିଦିଅନ୍ତି ଓ ଅନ୍ୟ ବର୍ଷ ପାଇଁ ଅନ୍ୟ ପାହାଡ଼ରେ କମାଣ କରନ୍ତି । ପାହାଡ଼ର ମୂଳଦେଶରୁ ଶିଖର ପର୍ଯ୍ୟନ୍ତ ଚାଷ କରି ନାନାବିଧ ଫସଲ କରନ୍ତି । ସେହି କମାଣରେ ଶିମ୍ବ, ଝୁଡ଼ଙ୍ଗ, ଭେଣ୍ଡି, କନ୍ଦମୂଳ ଆଦି ପରିବା ମଧ୍ୟ କରନ୍ତି । ପାହାଡ଼ ଛଡ଼ା ସେମାନେ ଜଳଜମି କରନ୍ତି ନାହିଁ । ଡାହିଧାନ, ହରଡ଼, ବିରି, ମୁଗ, କୋଳଥ, ରାଶି, ସୋରିଷ, ଗୁଳୁଦି, ଚିନା, କାଙ୍ଗୁ, ଗଙ୍ଗେଇ ପ୍ରଭୃତି ସେମାନଙ୍କର ପ୍ରଧାନ ଫସଲ । ସେମାନେ ଗାଈଦ୍ଵାରା ମଧ୍ୟ ହଳ କରନ୍ତି । ଏପରି ଦେଖାଯାଇଅଛି ଯେ, ଗାଈ ହଳ ବୁଲୁଥିବା ସମୟରେ ବାଛୁରି ପଛରେ ଗୋଡ଼ାଇ ଦୁଗ୍ଧପାନ କରୁଥାଏ । ସେମାନେ ଗାଈ ଦୁହଁନ୍ତି ନାହିଁ । ଭୂୟାଁପୀଢ଼ମାନଙ୍କରେ ଗାଈ ଦୁଧ ସହଜରେ ମିଳେ ନାହିଁ ।

 

କୌଣସି ଭୂୟାଁଗ୍ରାମରେ ପୁଷ୍କରିଣୀ ଦେଖାଯାଏ ନାହିଁ । ନିଜେ କୂପ ବା ପୁଷ୍କରିଣୀ ଖୋଳିବା ଧର୍ମବିରୁଦ୍ଧ ବୋଲି ଭୂୟାଁମାନେ ମନେକରନ୍ତି । କ୍ୱଚିତ୍‍ ବଡ଼ ବଡ଼ ଗ୍ରାମମାନଙ୍କରେ ପୁଷ୍କରିଣୀ ଦେଖାଯାଏ । ମାତ୍ର ତାହା ଅନ୍ୟ ଜାତୀୟ କୁଲିମାନଙ୍କଦ୍ୱାରା ଖୋଳା ହୋଇଥାଏ ।

 

ସ୍ତ୍ରୀମାନଙ୍କ ସ୍ନାନଘାଟ ପୃଥକ୍‍ ହୋଇଥାଏ; କାରଣ ସେମାନେ ବିବସ୍ତ୍ରହୋଇ ସ୍ନାନ କରନ୍ତି । କେହି ପୁରୁଷ୍ପ ସେ ସ୍ଥାନର ସୀମା ପର୍ଯ୍ୟନ୍ତ ଯିବା ସେମାନଙ୍କ ମଧ୍ୟରେ ବିଶେଷଭାବରେ ନିଷେଧ ଥାଏ । ଦୈବାତ୍‍ କୌଣସି କାରଣବଶତଃ କାହାକୁ ଯିବାକୁ ହେଲେ ଦୂରରୁ ଇସାରା ଦେଇ ଉଚ୍ଚସ୍ୱରରେ ଶବ୍ଦ କରି ଯିବାକୁ ହୁଏ ।

 

ଅଧିକାଂଶ ଗ୍ରାମମାନଙ୍କରେ ଗ୍ରାମଦେବତାମାନଙ୍କ ପାଇଁ ଗୋଟିଏ ଗୋଟିଏ ଗୃହ ତିୟାର ହୋଇଥାଏ ଓ ତାହା ବଡ଼ ବଡ଼ ପଣସଗଛମାନଙ୍କଦ୍ୱାରା ବେଷ୍ଟିତ ରହିଥାଏ ।

 

ବଡ଼ ବଡ଼ ଗ୍ରାମମାନଙ୍କରେ ସ୍କୁଲମାନ ଅଛି, ମାତ୍ର ତାହା ଅନାବଶ୍ୟକ ଓ ଅନିଷ୍ଟକର ବୋଲି ସେମାନେ ମନେକରନ୍ତି । ସେମାନଙ୍କ ପକ୍ଷରେ ଏପରି ଭାବିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ, କାରଣ ଯେଉଁ ହାତରେ ଲଙ୍ଗଳ ସାଧ୍ୟ ହେଉନାହିଁ, ସେ ହାତରେ ଲେଖନ ଆୟତ୍ତ ହେବା ଅସମ୍ଭବ-। ନିମ୍ନୋକ୍ତ ଦୃଷ୍ଟାନ୍ତରୁ ଶିକ୍ଷା ପ୍ରତି ସେମାନଙ୍କର କିପରି ଆଗ୍ରହ ତାହା ପ୍ରକାଶ ପାଉଅଛି । ଯଦି କୌଣସି ବାଳକ ବିଶେଷ କାରଣବଶତଃ ସ୍କୁଲରେ ଉପସ୍ଥିତ ନ ହୁଏ, ତେବେ ତାହାର ପିତା ଆସି କହେ–ପିଲା ଆସିବ ନାହିଁ, ତା’ଲାଗି ମୁଁ ଅଇଲି । ଏହା କହି ସେ ସ୍କୁଲରେ ବସି ରହେ-

 

ଷ୍ଟେଟ୍‍ କର୍ମଚାରୀ ବ୍ୟତୀତ ଗ୍ରାମରେ ଗୋଟିଏ ପ୍ରଧାନ ଥାଏ । ଆଉ ମଧ୍ୟ ସାମାଜିକ ବିଷୟ ଆଲୋଚନାପାଇଁ ବଂଶପରମ୍ପରାକ୍ରମେ ସେମାନଙ୍କ ଦ୍ୱାରା ମନୋନୀତ କର୍ମଚାରୀ ରହିଥାନ୍ତି-। ରାଜସ୍ୱ ଆଦାୟ କିମ୍ବା ଗ୍ରାମର ଅନ୍ୟାନ୍ୟ ବିଷୟ ସମ୍ପାଦନ କରିବାପାଇଁ ଗୋଟିଏ ନାୟକ ମନୋନୀତ କରିଥାନ୍ତି, ଯେ କି ପ୍ରଧାନର ସହକାରୀସ୍ଵରୂପ କାର୍ଯ୍ୟ କରେ, ମାତ୍ର ଷ୍ଟେଟ୍‍ ତରଫରୁ ସେ ମନୋନୀତ ହୁଏ ନାହିଁ । ଗ୍ରାମର ପୁରୋହିତକୁ ଦେହୁରି କହନ୍ତି । ସମସ୍ତ ଦେବାଦେବୀଙ୍କ ଭାର ତାହା ଉପରେ ନ୍ୟସ୍ତ ଥାଏ । ଅବିବାହିତ ଯୁବତୀମାନଙ୍କର ପ୍ରତିନିଧିସ୍ୱରୂପ ଜଣେ ଗଡ଼ମାଝି ନାମରେ ଅଭିହିତ ହୋଇଥାଏ । ସେ ପ୍ରଣୟଜନିତ କଳହାଦି ନିଷ୍ପତ୍ତି କରେ ଏବଂ ସେମାନଙ୍କର ସମସ୍ତ ହାରି ଗୁହାରି ଗ୍ରାମ୍ୟ ପଞ୍ଚାୟତଙ୍କ ସମୀପରେ ଉପସ୍ଥିତ କରେ । ତାହାର ଆଦେଶ ଅନୁସାରେ ନୃତ୍ୟୋତ୍ସବ ଅନୁଷ୍ଠିତ ହୁଏ ।

 

ଏକଗୋତ୍ରସମ୍ଭୂତ କେତେଗୁଡ଼ିଏ ପରିବାର ଏକତ୍ର ମିଶି ଗୋଟିଏ ସମ୍ପ୍ରଦାୟ ଗଠିତ ହୋଇଥାଏ । ଗୃହସ୍ୱାମୀର ଗୃହ ମଧ୍ୟରେ ସମ୍ପୂର୍ଣ୍ଣ ଅଧିକାର ଥାଏ, ପିତାର ଜୀବିତାବସ୍ଥାରେ ପୁତ୍ରମାନଙ୍କର ସମ୍ପତ୍ତିରେ ସ୍ୱତ୍ତ୍ୱ ନ ଥାଏ । ମାତା ଖାଦ୍ୟ ପ୍ରସ୍ତୁତ କରି ସମସ୍ତ ପରିବାର ମଧ୍ୟରେ ଭାଗ କରିଦିଏ । ଗୃହର ଅନ୍ୟାନ୍ୟ ସ୍ତ୍ରୀମାନେ ତାହାକୁ ଉକ୍ତ କାର୍ଯ୍ୟରେ ସାହାଯ୍ୟ କରନ୍ତି । ପ୍ରତ୍ୟେକ ସମ୍ପ୍ରଦାୟ ମଧ୍ୟରେ ପରସ୍ପର ଏକତା ଥିବା ଯୋଗେ କେତେଗୁଡ଼ିଏ ସମ୍ପ୍ରଦାୟ ଏକତ୍ର ମିଳି ଗୋଟିଏ ଗ୍ରାମରେ ରହନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ପ୍ରଧାନ କରି ସମସ୍ତେ ତାହାର ଆଦେଶ ଅନୁସାରେ ଚଳନ୍ତି । ଏହାଛଡ଼ା ସେମାନଙ୍କ ସାମାଜିକ ବିଷୟର ତତ୍ତ୍ୱ ନେବା ପାଇଁ ଜଣେ ସରଦାର ମନୋନୀତ ହୋଇଥାଏ । ଉକ୍ତ ପଦଟି ସେ ଲୋକର ପୁରୁଷାନୁକ୍ରମେ ରହିଥାଏ, ଗୋଟିଏ ସରଦାରର ମୃତ୍ୟୁ ପରେ ତାହାର ଜ୍ୟେଷ୍ଠପୁତ୍ରକୁ ଉକ୍ତ ଭାର ଦିଅନ୍ତି । ଯଦି କାହାର ଜ୍ୟେଷ୍ଠପୁତ୍ର ଉକ୍ତ କାର୍ଯ୍ୟର ଅନୁପଯୁକ୍ତ ବୋଲି ବିବେଚିତ ହୁଏ, ତେବେ ତାହାର ବଂଶ ମଧ୍ୟରୁ ଅନ୍ୟ କେହି ଉପଯୁକ୍ତ ଥିଲେ ତାହାଠାରେ ଉକ୍ତ ପଦ ଅର୍ପିତ ହୁଏ ।

 

ଉପରୋକ୍ତ ନିଯୁକ୍ତି ବଂଶମର୍ଯ୍ୟାଦା ଏବଂ ବ୍ୟକ୍ତିଗତ ଯୋଗ୍ୟତା ଉପରେ ନିର୍ଭର କରେ, ଏହାଛଡ଼ା ଅନ୍ୟ କୌଣସି ବିଷୟ ବିଚାର କରି ଉକ୍ତ ପଦମାନ ଅର୍ପିତ ହୁଏ ନାହିଁ । ଯଦି କେହି ଆପଣାକୁ ଅଯୋଗ୍ୟ ମନେକରିଥାଏ, ତେବେ ସେ ଆପଣାର ପରିବାରବର୍ଗଙ୍କ ସମ୍ମତିକ୍ରମେ ସେ ପଦ ପରିହାର କରେ । ଏହା ସବୁ ଧର୍ମଗତଭାବରେ କରାଯାଏ । ଏଣୁ ଉକ୍ତ ପଦମାନ ଅତି ପବିତ୍ର ବୋଲି ବିବେଚିତ ହୁଏ । ଏହି କାର୍ଯ୍ୟମାନଙ୍କପାଇଁ କୌଣସି ବେତନ ବା ଅନ୍ୟପ୍ରକାର ଲାଭର ଆଶା ନ ଥାଏ । କେବଳ ସାଧାରଣଙ୍କର ସମ୍ମାନ ଓ ଭକ୍ତିପ୍ରଦର୍ଶନ ପରିଲକ୍ଷିତ ହୁଏ । ସେମାନେ ମଧ୍ୟ ଆପଣାକୁ ସାଧାରଣ ଅପେକ୍ଷା ଉଚ୍ଚ ବୋଲି ମନେକରନ୍ତି ନାହିଁ । କାରଣ ସେମାନଙ୍କର ସାମାଜିକ ରୀତି ପରମ୍ପରାକ୍ରମେ ଜୀବିକା ନିର୍ବାହର ଉପାୟ ଅନ୍ୟାନ୍ୟଙ୍କ ସଙ୍ଗେ ସମାନ ବୋଲି ହୃଦୟଙ୍ଗମ କରିପାରନ୍ତି । ମଧ୍ୟ ସେମାନଙ୍କର, କୌଣସି ସ୍ୱତନ୍ତ୍ର ଜାଗିରି ନାହିଁ କିମ୍ବା ଦାସ ଦାସୀ ନାହିଁ । ଗ୍ରାମର ସମସ୍ତେ ଏକ ପରିବାରର ଅନ୍ତର୍ଭୁକ୍ତ ଓ ସେମାନଙ୍କର କେବଳ ପୁରୁଷାନୁକ୍ରମିକ ଅଧିକୃତ ଜଙ୍ଗଲ ଉପରେ ସମସ୍ତଙ୍କ ଗ୍ରାସାଚ୍ଛାଦନ ନିର୍ଭର କରେ ବୋଲି ଦୃଢ଼ବିଶ୍ୱାସ କରି କୌଣସି ପ୍ରକାରେ ସାଧାରଣ ଅପେକ୍ଷା ଆପଣାର ଅଧିକୃତ ଟେକ ଦେଖାନ୍ତି ନାହିଁ । କେବଳ ଗ୍ରାମବାସୀମନେ ଗୋଟିଏ ଶିକାର କଲେ ତହିଁରୁ ସେମାନଙ୍କ ସମ୍ମାନାର୍ଥ ଗୋଟିଏ ଲେଖାଏଁ ଅଧିକା ଭାଗ ଦିଅନ୍ତି । କେହି କେହି ମଧ୍ୟ ସରଳଭାବରେ ଭକ୍ତିର ନିଦର୍ଶନସ୍ଵରୂପ ନୂତନ ଫସଲ ଅମଳ ସମୟରେ କୌଣସି ଭତ୍ତା ବା ଅନ୍ୟ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତି ନାହିଁ । କେବଳ ସ୍ଵକୀୟ ବା ସାଧାରଣ ଉତ୍ସବାଦି ସ୍ଥାନରେ ପ୍ରଥମ ସମ୍ମାନ ସେମାନଙ୍କର ପ୍ରାପ୍ୟ ଅଟେ ।

 

କୌଣସି ବିଶିଷ୍ଟ ପ୍ରୟୋଜନୀୟ କାର୍ଯ୍ୟରେ ସେମାନେ ଗ୍ରାମର ପୁରୁଖା ଲୋକମାନଙ୍କୁ ନ ଡାକି କିଛି କରନ୍ତି ନାହିଁ । ପ୍ରତ୍ୟେକଙ୍କ ଗୃହରେ ସେମାନେ ସୁଶୀଳତାରକ୍ଷକ, ଅନ୍ୟାୟ କାର୍ଯ୍ୟ ଓ କଳହର ନିବାରଣକାରକ ଏବଂ ନ୍ୟାୟାନ୍ୟାୟ ବିଚାରକ ଅଟନ୍ତି ।

 

କେହି କୌଣସି ପଦାର୍ଥ ଚୋରି କରିବାର ପ୍ରମାଣ ହେଲେ ଗ୍ରାମ୍ୟ ପଞ୍ଚାୟତରେ ଚୋର ଅପହୃତ ଦ୍ରବ୍ୟ ଫେରାଇ ଦିଏ କିମ୍ବା ତାହାର ମୂଲ୍ୟ ଦିଏ । ପ୍ରଥମଥର ଚୋରି ମୋକଦ୍ଦମାର ଏହା ସାଧାରଣ ଦଣ୍ଡ । ମାତ୍ର ସେ ଲୋକଟି ବାରମ୍ବାର ଉକ୍ତ କାର୍ଯ୍ୟ କଲେ ଉକ୍ତ ଦୋଷ ସେ ଲୋକଦ୍ୱାରା ନ ହୋଇ ସମସ୍ତ ସମାଜକୃତ ବୋଲି ବିବେଚିତ ହୋଇ ଅପରାଧୀ ସାଧାରଣରେ ଘୃଣ୍ୟ ହୁଏ । ଏପରିକି, କେହି ତାହା ସଙ୍ଗେ କଥା କହିବାକୁ ଇଚ୍ଛା କରନ୍ତି ନାହିଁ । ଏଣୁ ତାହାର ଜୀବନଟି ତାକୁ ଗୋଟିଏ ଭାରସ୍ଵରୂପ ବୋଧହୁଏ । ସାମାନ୍ୟ କଳହରେ ମାଡ଼ ମରାମରି ହେଲେ ଉଭୟପକ୍ଷଙ୍କୁ ମିଳାଇବାପାଇଁ ପଞ୍ଚାୟତ ବସେ । ଉଭୟପକ୍ଷରୁ କଥା ଶୁଣାଗଲା ପରେ ସେମାନଙ୍କୁ ଉପଦେଶଦ୍ୱାରା ସତର୍କ କରିଦିଆଯାଏ । ପୁନର୍ମିଳନର ଚିହ୍ନସ୍ୱରୂପ ଉଭୟପକ୍ଷ ପ୍ରତ୍ୟେକେ ଜଳୁଥିବା ଅଗ୍ନିରୁ ଖଣ୍ଡିଏ ଲେଖାଏଁ ଖୁଣ୍ଟାଆଣି ଅଗ୍ନି ଥିବା ଅଂଶଟି ଛେପ ପକାଇ ନିଭାଇ ଦିଅନ୍ତି ।

 

ଅପରାଧୀ ଷ୍ଟେଟ୍‍ ଅଦାଲତରେ କ୍ୱଚିତ୍‍ ଦଣ୍ଡିତ ହୁଏ । ଗ୍ରାମବାସୀମାନେ ଏ କଥା ଜାଣିସୁଦ୍ଧା ଉକ୍ତ ଦଣ୍ଡ ଷ୍ଟେଟ୍‍ ଅଦାଲତ ନିଜ ସନ୍ତୋଷପାଇଁ ଦେଇଅଛି ଭାବି ସେମାନେ ନିଜ ଗ୍ରାମପଞ୍ଚାୟତରେ ପୁନର୍ବିଚାର କରନ୍ତି । ଗ୍ରାମ୍ୟସଭାର ଆହ୍ଵାନ ଅତି ସରଳ ହେଲେହେଁ ଅତି କୌତୂହଳପ୍ରଦ । ପୂର୍ବୋକ୍ତ ଗ୍ରାମର ଉଚ୍ଚ ପଦଧାରିମାନଙ୍କ ମଧ୍ୟରେ ଜଣେ ମଣ୍ଡପ ଘରେ ଛିଡ଼ାହୋଇ ଅତି ଉଚ୍ଚସ୍ୱରରେ ତିନିଗୋଟି ରଡ଼ି ଛାଡ଼େ । ଏହା ଜାଣିବା ମାତ୍ରକେ ଆହୂତ ବ୍ୟକ୍ତି ଉପସ୍ଥିତ ହୁଅନ୍ତି । ଏମାନଙ୍କ ଛଡ଼ା ଇତର ଲୋକ କେହି ଡାକିପାରେ ନାହିଁ । ଡାକିଲେ ଗ୍ରାମରେ ବିପଦ ପଡ଼ିବାର ଆଶଙ୍କା କରାଯାଏ । କାରଣ ଧର୍ମତଃ ସେମାନଙ୍କ ଛଡ଼ା ଅନ୍ୟ କାହାରି ଉକ୍ତ କାର୍ଯ୍ୟରେ ଅଧିକାର ନାହିଁ ବୋଲି ବିଶ୍ୱାସ କରନ୍ତି ।

 

ସାମାଜିକ କଳହ ନଷ୍ପତ୍ତି, ଧର୍ମୋତ୍ସବ ଏବଂ ଅନ୍ୟାନ୍ୟ କ୍ଷୁଦ୍ର କ୍ଷୁଦ୍ର ବିଷୟ ଗ୍ରାମ୍ୟସଭାଦ୍ୱାରା ଚାଳିତ ହୁଏ । ସାମାନ୍ୟ କିଛି କଥା ହେଲେ ସଭା ଆହୂତ ହୁଏ । ଡାକୁଆ ସ୍ୱର ସହଜରେ ଚିହ୍ନାଯାଏ ।

☆☆☆

 

ରାଜସ୍ୱ

 

ରାଜା ଭୂୟାଁପୀଢ଼ରେ ଗସ୍ତ କଲାବେଳେ ଭୂୟାଁମାନେ ଟଙ୍କା କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଭେଟିରୂପେ କର ଦେଉଥିଲେ । ୧୮୬୮ ଖ୍ରୀଷ୍ଟାବ୍ଦରେ ଘଟିଥିବା ଭୂୟାଁବିଦ୍ରୋହ ପରେ କର୍ଣ୍ଣେଲ୍‍ ସର୍‍ ଜେମ୍‍ସ ଜନ୍‍ସନ୍‍ ଏବଂ ଗଭର୍ଣ୍ଣମେଣ୍ଟ ପଲ୍‍ଟିକେଲ୍‍ କର୍ମଚାରୀଙ୍କ ବନ୍ଦୋବସ୍ତ ପୂର୍ବରୁ ସେମାନଙ୍କ ଉପରେ ନିର୍ଦ୍ଧାରିତ କର ଧାର୍ଯ୍ୟ ହୋଇନଥିଲା । ମାତ୍ର କର୍ଣ୍ଣେଲ୍‍ ଜନ୍‍ସନ୍‍ ଅତି ବୁଦ୍ଧିମତ୍ତାର ସହିତ ଘର ପ୍ରତି ଚାରିଅଣା ଓ ଦଳ ପ୍ରତି ଆଠଅଣା ଏବଂ ସ୍କୁଲ୍‍ ଫି ଘର ପ୍ରତି ଏକଅଣା ଧାର୍ଯ୍ୟ କଲେ । ଏହା ବ୍ୟତୀତ କେତେକ ଷ୍ଟେଟ୍‍ ଗୃହ ଛପରବନ୍ଦି କରିବା ଏବଂ ରାଜା ଗସ୍ତ କଲାବେଳେ ବିନା ପଇସାରେ, ତାହାଙ୍କ ଭାର ବୋହିବା ଭୂୟାଁମାନଙ୍କ କର୍ତ୍ତବ୍ୟ କାର୍ଯ୍ୟଭୁକ୍ତ ହୋଇଥିଲା । ଏହିପରି ଭାର ବୋହିବା କାର୍ଯ୍ୟ ସେମାନେ ଆବହମାନ କାଳରୁ କରି ଆସୁଥିବାର ଅନୁମିତ ହୁଏ । କାରଣ ସେମାନେ 'ବାହୁଙ୍ଗି’ ଆପଣାର ସନ୍ତକ ବୋଲି ଲେଖାନ୍ତି । ଉପରୋକ୍ତ ବନ୍ଦୋବସ୍ତ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଓ ମଞ୍ଜୁର ହୋଇଥିଲା, ଆଉ ମଧ୍ୟ ସଚେତ୍‍ ଥିଲା ଯେ, ଗଭର୍ଣ୍ଣମେଣ୍ଟଙ୍କ ଅଜ୍ଞାତସାରରେ କେହି ଏହା ପରିବର୍ତ୍ତନ ବା ପରବର୍ଦ୍ଧନ କରିପାରିବେ ନାହିଁ । ମାତ୍ର କର୍ଣ୍ଣେଲ୍‍ ଜନ୍‍ସନ୍‍ ଷ୍ଟେଟ୍‍ରୁ ଚାଲିଗଲାବେଳେ ତତ୍‍କାଳୀନ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କଦ୍ୱାରା ସେ ସରତ୍‍ ଭଙ୍ଗ ହେଲା ।

 

୧୮୯୩ ଖ୍ରୀଷ୍ଟାବ୍ଦରେ ଘଟିତ ବିଦ୍ରୋହ ପରେ ଗଭର୍ଣ୍ଣମେଣ୍ଟ ଏଜେଣ୍ଟ୍ ଏଚ୍‍.ପି. ଓଆଲି ସାହେବଙ୍କ ଦ୍ୱାରା ପୁନର୍ବାର ନୂତନ ବନ୍ଦୋବସ୍ତ କରାଗଲା । ଏହାଦ୍ୱାରା ଘର ପ୍ରତି ଛ’ଅଣା ଛପାହି ଓ ହଳ ପ୍ରତି ତେରଅଣା କର ଧାର୍ଯ୍ୟ ହେଲା । ସ୍କୁଲ ଫି ମଧ୍ୟ ଏକଅଣା ସ୍ଥଳେ ଦୁଇଅଣା ହେଲା । ଆଉ ମଧ୍ୟ ଯେଉଁମାନେ ଷ୍ଟେଟ୍‍ ଗୃହ ଛପରବନ୍ଦି କରିବାକୁ ଅନିଚ୍ଛୁକ ହେଲେ, ସେମାନଙ୍କ ଉପରେ ଅଧିକା (ଘର ପ୍ରତି), ତିନିଅଣା କର ଧାର୍ଯ୍ୟ କରାଗଲା ! ଏ ବନ୍ଦୋବସ୍ତରେ ମୁଦ୍ରିତ ପଟାମାନ ଉପରୋକ୍ତ ସରତ୍‍ ସହିତ ଗ୍ରାମର ପ୍ରଧାନମାନଙ୍କୁ ଦିଆଯାଇଥିଲା ।

 

କୃଷିକାରୀ ଆଦିମ ଜାତିଙ୍କ ଭ୍ରମଣଶୀଳ ଲକ୍ଷଣ ଏପର୍ଯ୍ୟନ୍ତ ଭୂୟାଁମାନଙ୍କ ମଧ୍ୟରେ ରହିଅଛି । ଗୋଟିଏ ତଏଲାରୁ ଜଳ ଚାଲିଗଲେ ସେମାନେ ତାହା ପରିତ୍ୟାଗ କରି ନୂତନ ତଏଲା ଆବାଦ କରନ୍ତି । ଆଉ ମଧ୍ୟ ପ୍ରାୟ ପ୍ରତି ୨୦ ବର୍ଷ ପରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଗ୍ରାମ ପରବର୍ତ୍ତନ କରନ୍ତି । ସେମାନଙ୍କର କୃଷି କେବଳ ପାହାଡ଼ପାର୍ଶ୍ୱସ୍ଥ ତଏଲା ଉପରେ ନିର୍ଭର କରେ । ଏହି ତଏଲା ସାଧାରଣତଃ ୩ ବର୍ଷ ଚାଷ କରାଯାଏ । ପ୍ରଥମ ବର୍ଷ ନାନାପ୍ରକାର ରବି ଫସଲ, ଦ୍ଵିତୀୟ ବର୍ଷ ଧାନ ଓ ତୃତୀୟ ବର୍ଷ କ୍ୱଚିତ୍‍ ଶାକ୍‍ସବ୍‍ଜୀ ଆଦି ଶସ୍ୟ ହୁଏ ।

 

ଏହା ସ୍ୱାଭାବିକ ଯେ ଯେଉଁଠାରେ ଏକପ୍ରକାର କୃଷି ହୁଏ ସେଠାରେ କ୍ଷତି ଅନିବାର୍ଯ୍ୟ, ମଧ୍ୟ ପୁରାତନ ଜଙ୍ଗଲମାନ ଧ୍ୱଂସପ୍ରାପ୍ତ ହୁଏ । ଏଣୁ ଭୂୟାଁପୀଢ଼ମାନଙ୍କରେ ଭ୍ରମଣ କଲାବେଳେ ପାହାଡ଼ମାନ ଅନାବୃତ ଦେଖାଯାଏ । କୌଣସି କୌଣସି ଗ୍ରାମରେ ଅଳ୍ପ ପରିମାଣର ଶାରଦ ଜମି ଦେଖାଯାଏ । ମାତ୍ର ସେ ସବୁ ପୁରାତନ ରୀତିରେ ଆବାଦ ହୋଇଥାଏ । ସାଜରେ ଅର୍ଥାତ୍‍ ଏକରୁ ଅଧିକ ଲୋକ ମିଳି କୌଣସି ଜମି ଚାଷ କରନ୍ତି ନାହିଁ । ପ୍ରତ୍ୟେକେ ନିଜ ନିଜ ଜମି ଚଷନ୍ତି । ସେମାନେ ନିଜକୁ ରାଇତ ବା ଅନ୍ୟ କାହାକୁ ଜମିଦାର ବୋଲି ସ୍ୱୀକାର କରନ୍ତି ନାହିଁ । ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ଜମି ଅଧିକାର କରିଥିଲେ ସେମାନେ ତହିଁର ସ୍ୱତ୍ତ୍ୱାଧିକାରୀ ବୋଲି ଜ୍ଞାନ କରନ୍ତି ।

 

ଏକଗ୍ରାମର ଜମି ବିବାଦରେ ଅନ୍ୟଗ୍ରାମ ବା ଏକଗ୍ରାମ ମଧ୍ୟରେ ଜଣକର ଜମି ଅନ୍ୟକେହି ଚାଷ କଲେ ତାହା ପୂର୍ବ ଦଖଲକାରୀଙ୍କୁ ଛାଡ଼ିଦିଆଯାଏ । ପ୍ରତ୍ୟେକ ଗ୍ରାମରେ ଜମି ଏତେ ଅଧିକ ରହିଥାଏ ଯେ ତାହାର ଦଶମାଂଶ ଆବାଦ ହୋଇପାରେ ନାହିଁ । ଯଦି କୌଣସି ଜମିରେ ବିବାଦ ଉପସ୍ଥିତ ହୁଏ, ତାହା ଆପଣା ଆପଣା ମଧ୍ୟରେ ମୀମାଂସା କରିଥାନ୍ତି । ଯେଉଁ ଜମି ନିଜର ବା ଅନ୍ୟ କାହାର ନୁହେଁ, ଲୋକ ଅଭାବରୁ ପତିତ ରହିଅଛି, ସେ ଜମିକୁ କେହି ଚାଷ କରିବାର ଇଚ୍ଛା କଲେ ଗ୍ରାମର ପଞ୍ଚାୟତଙ୍କ ଅନୁମତି ନେଇ ଆବାଦ କରେ । ସେମାନଙ୍କ ପୈତୃକ ସ୍ଥାବର ସମ୍ପତ୍ତି ଅଧିକାରବିଷୟକ ଆଇନରୁ ନିଶ୍ଚୟ କରାଯାଏ ଯେ, ଯେଉଁ ଲୋକ ଜମି ଆବାଦ କରିପାରେ ନାହିଁ, ସେ ଲୋକର ଜମିରେ ଅଧିକାର ରହେ ନାହିଁ ।

 

ଚାଷର ଉପକରଣ ଓ ଚାଷଜମି ପୁତ୍ରପୌତ୍ରାଦିକ୍ରମେ ଦଖଲ କରନ୍ତି । ପୁତ୍ର ନ ଥିଲେ ଜମି ଉଆରସମାନେ ଦଖଲ କରନ୍ତି, ମାତ୍ର ଦୁହିତାମାନଙ୍କର ସ୍ଥାବର ସମ୍ପତ୍ତିରେ କିଛି ସ୍ୱତ୍ୱ ନ ଥାଏ-। କେବଳ ଅସ୍ଥାବର ସମ୍ପତ୍ତିରେ ସେମାନଙ୍କର ସ୍ୱତ୍ୱ ଥିବାର ବିବେଚିତ ହୁଏ । ଭାଇମାନେ କନ୍ୟାମାନଙ୍କ ବିବାହ ପର୍ଯ୍ୟନ୍ତ ଖୋରାକ ପୋଷାକ ଯୋଗାଇବାକୁ ବାଧ୍ୟ ଅଟନ୍ତି । ସେମାନେ ଏତେ ସରଳ ଆଇନ ଓ ପାରିବାରିକ ଶାସନର ଅଧୀନତାରେ ବାସ କରି ଏପରି ଆଦିମ ସୌଜନ୍ୟ ଦେଖାନ୍ତି, ଯାହା ପ୍ରତି ଆଧୁନିକ ସଭ୍ୟଜାତିମାନଙ୍କର ହିଂସାର ଉଦ୍ରେକ ହୋଇପାରେ । ଭୂସମ୍ପତ୍ତି ବା ସାମାଜିକ ରୀତିର ପୂର୍ବପ୍ରଚଳିତ ପ୍ରଥାର ବ୍ୟତିକ୍ରମ ହେଲେ ସେମାନେ ତାହା ରକ୍ଷାକରିବା ବିଷୟରେ ଦୃଢ଼ପରିକର ହୁଅନ୍ତି । କେହି ତାହା ସଂସ୍କାର କରିବାକୁ ଗଲେ ସେମାନଙ୍କର ନିତାନ୍ତ ଅପ୍ରିୟ ହୋଇପଡ଼େ । କିନ୍ତୁ କର୍ଣ୍ଣେଲ୍‍ ଜନ୍‍ସନ୍‍ ଓ ଏଚ୍‍.ପି. ଓଆଲି ସାହେବଙ୍କ କାର୍ଯ୍ୟ ଅତି ଆଶ୍ଚର୍ଯ୍ୟଜନକ ଫଳ ଦେଖାଇଛି । କର୍ଣ୍ଣେଲ୍‍ ଜନ୍‍ସନ୍‍ ପ୍ରଥମେ ସେମାନଙ୍କ ଭାଷା ବୁଝିପାରୁନଥିଲେ, ଓଆଲି ସାହେବ ମଧ୍ୟ ଯେତେବେଳେ ଆସିଲେ, ସେ ସେମାନଙ୍କ ଆଚାର ବ୍ୟବହାର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । କିନ୍ତୁ ଉଭୟ ସାହେବ ଭୂୟାଁମାନଙ୍କ ଅଦ୍ଭୁତ ରୀତିନୀତି ଉପରେ ଆସ୍ଥା ପ୍ରଦର୍ଶନ କରି ସେମାନଙ୍କର ବିଶ୍ୱାସଭାଜନ ହୋଇଥିଲେ । ଏପର୍ଯ୍ୟନ୍ତ ସେ ଉଭୟ ସାହେବଙ୍କ ନାମକୁ ସେମାନେ ପ୍ରତିଦିନ ଗଳ୍ପରେ ସ୍ଥାନ ଦେଉଅଛନ୍ତି ଓ ସେମାନଙ୍କର ମଙ୍ଗଳକାରୀ ବୋଲି କହିଥାନ୍ତି ।

 

କୌଣସି କର୍ମଚାରୀର ବ୍ୟକ୍ତିଗତ କ୍ଷମତାପ୍ରଦର୍ଶନ କିମ୍ବା ନିଜ ନିଜ କଥା ବା ଆଦେଶରେ ଅସ୍ଥାୟିତ୍ୱ କିମ୍ବା ଧୂର୍ତ୍ତତା କଥା ଅଥବା ସନ୍ଦେହପୂର୍ଣ୍ଣ ବ୍ୟବହାର ଦେଖିଲେ ଭୂୟାଁମାନେ ତାହା ପ୍ରତି ଶ୍ରଦ୍ଧା ବା ଭକ୍ତି ରଖନ୍ତି ନାହିଁ ।

 

ଏହିପରି ରାଜସ୍ୱ ବନ୍ଦୋବସ୍ତ ଓ ଜମି କଳହ ମୀମାଂସା ପାହାଡ଼ିଆ ଭୂୟାଁମାନଙ୍କ (ଅର୍ଥାତ୍‍ ଯେଉଁମାନେ ଭୂୟାଁପୀଢ଼ରେ ବାସ କରନ୍ତି ।) ମଧ୍ୟରେ ପ୍ରଚଳିତ ଅଛି । ମାତ୍ର ଯେଉଁମାନେ ଦଣ୍ଡପାଟରେ (ପ୍ରଗନା) ଅନ୍ୟାନ୍ୟ ଜାତି ସହ ବାସ କରନ୍ତି, ସେମାନେ ଅନ୍ୟାନ୍ୟ ଜାତିଙ୍କ ପରି ପ୍ରଚଳିତ ନିୟମାନୁସାରେ ଖଜଣା ଦିଅନ୍ତି । ଖଜଣା ବ୍ୟତୀତ ସବୁ ସମ୍ପ୍ରଦାୟର ଭୂୟାଁମାନେ ଦୁଇ ବର୍ଷରେ ରଥ ତିଆରି ସକାଶେ କାଠ ଓ ରଥଟଣା ସକାଶେ ଲଇରେ ତିଆରି ହୋଇଥିବା ମୋଟ ଦଉଡ଼ି ଯୋଗାନ୍ତି । ପୂର୍ବେ ସେମାନେ ବିନା ପଇସାରେ କାଠ ଓ ଦଉଡ଼ି ଗଡ଼ ପର୍ଯ୍ୟନ୍ତ ବୋହି ଆଣୁଥିଲେ । ବର୍ତ୍ତମାନ ବହନ ସକାଶେ ଦୈନିକ ଖୋରାକ ପା’ନ୍ତି । ରାଜସ୍ୱ ଆଦାୟ ପ୍ରଥା ଅତି ସରଳ । ପ୍ରତ୍ୟେକ ପ୍ରଧାନକୁ (ଯେ କି ଷ୍ଟେଟ୍‍ରୁ ପଟ୍ଟା ପାଇଥାଏ) ଜମା ପ୍ରତି ରଇତ ଉପରେ ଯେ ଖଜଣା ତାହାର ତାଲିକା ଦିଆଯାଏ । ସେ ତାହା ଆଦାୟ କରି ପୀଢ଼ ସରଦାର ଜିମା ଦିଏ । ପୀଢ଼ ସରଦାର ମଧ୍ୟ ପ୍ରତି ମୌଜାର ଯାହା ପ୍ରାପ୍ୟ ତାହାର ତାଲିକା ପାଇଥାଏ । ତାହାର ପୀଢ଼ ମଧ୍ୟସ୍ଥ ସମସ୍ତ ମୌଜାମାନଙ୍କର ରାଜସ୍ୱ ଆଦାୟ ହେଲେ ସେ ନିଜେ ଆସି ଖଜଣାଖାନାରେ ଖଜଣା ଦାଖଲ କରେ । ସରଦାର ଓ ପ୍ରଧାନ ଷ୍ଟେଟ୍‍ ତରଫରୁ ମନୋନୀତ ହୁଅନ୍ତି । କିନ୍ତୁ ପୈତୃକ ଦାବି ବିଷୟରେ ଗ୍ରାମବାସୀମାନଙ୍କ ମତ ଆଲୋଚନା କରାଯାଏ ।

 

ମନୋନୀତ ହେବାର ଚିହ୍ନସ୍ଵରୂପ ସରଦାର ଓ ପ୍ରଧାନ ରାଜାଙ୍କଠାରୁ ଶାଢ଼ି ବା ଶିରୋପା ପା’ନ୍ତି । ଏହି କାର୍ଯ୍ୟପାଇଁ ସେମାନେ ମାଲିକାନା (କମିଶନ) ଅତି ସାମାନ୍ୟ ପା’ନ୍ତି । ମାତ୍ର ସେଥିପ୍ରତି ସେମାନେ ଆସ୍ଥା ରଖନ୍ତି ନାହିଁ ।

 

ସେମାନେ ଯେଉଁ ଧାନ ଫସଲ ଅମଳ କରନ୍ତି, ତାହା ଅଳ୍ପଦିନରେ ଶେଷ ହୋଇଯାଏ । ଅନ୍ୟାନ୍ୟ ଫସଲରେ ଚାଉଳ ବଦଳାଇ ବର୍ଷ ଶେଷ ପର୍ଯ୍ୟନ୍ତ ଚଳନ୍ତି । ଭାତ ସେମାନଙ୍କର ପ୍ରଧାନ ଖାଦ୍ୟ ନୁହେଁ । ମଧ୍ୟେ ମଧ୍ୟେ ଆମୋଦପ୍ରମୋଦ ପାଇଁ ଭୋଜି କିମ୍ବା ଉତ୍ସବାଦିରେ ଭାତ ରାନ୍ଧି ଖାଇବାକୁ ଦିଅନ୍ତି, ସେମାନେ ବନଜାତ ଫଳମୂଳ ଓ ଶାକ୍‍ସବ୍‍ଜୀରେ ଜୀବିକା ନିର୍ବାହ କରନ୍ତି ।

☆☆☆

 

ଧର୍ମ

 

ଭୂୟାଁମାନେ ବ୍ୟବହାରତଃ ରକ୍ତ ଉପାସକ ଅଟନ୍ତି । ପୃଥିବୀ, ଜଳ ଏବଂ ଆକାଶରେ ସେମାନଙ୍କର ଅସଂଖ୍ୟ ଦେବାଦେବୀ ଅଛନ୍ତି । କେହି ବିନା ବଳିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ, ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ ନ କଲେ ସେମାନେ ବିପଦ ଘଟାନ୍ତି । ସେମାନଙ୍କର ଧର୍ମାନୁଷ୍ଠାନ ଅଧିକାଂଶ ଆଦିମ ଅନାର୍ଯ୍ୟମାନଙ୍କ ତୁଲ୍ୟ ଅଟେ । କେତେକ ବିଷୟ ସେମାନେ ହିନ୍ଦୁମାନଙ୍କଠାରୁ ଅନୁକରଣ କରିଅଛନ୍ତି ।

 

ଦେବତାମାନଙ୍କ ମଧ୍ୟରେ ନିମ୍ନୋକ୍ତ ଦଶଗୋଟି ପ୍ରଧାନ ଯଥା— ୧– ବୋଧୁମ, ୨– ଗିସାରି, ୩– ବରୋଦି ପାଟ, ୪– ସେନ୍ତ ପାଟ, ୫– ବୈତରଣୀ ପାଟ, ୬– ଲକ୍ଷ୍ମୀ ପାଟ, ୭– ମଣ୍ଡଳ ପାଟ, ୮– ମହାଠାକୁରାଣୀ, ୯– ପରିୟାଲ ବାଗିଆ ଏବଂ ୧୦– ପିଥୁନ ପାଟ । ଏମାନେ ଜଙ୍ଗଲ ଏବଂ ଗ୍ରାମରେ ବାସ କରନ୍ତି ବୋଲି ସେମାନଙ୍କର ବିଶ୍ୱାସ ।

 

ସେମାନେ ସର୍ବପ୍ରଥମେ ପୃଥିବୀଦେବୀର ପୂଜା କରନ୍ତି । ତାହା ପରେ ତାଙ୍କର ପୁତ୍ର ବାଘଦେବତା ଓ ଶସ୍ୟ ଦେବତାଙ୍କୁ ସ୍ଥାନ ଦିଅନ୍ତି । ଦ୍ୱିତୀୟରେ ଗ୍ରାମଦେବତା, ଜଳଦେବତା, ଅରଣ୍ୟଦେବତା, ବାୟୁଦେବତା ଓ ବୃଷ୍ଟିଦେବତାମାନେ ସ୍ଥାନ ପା’ନ୍ତି । ଏମାନଙ୍କ ସଙ୍ଗେ ପାରିଧିଦେବତା ମଧ୍ୟ ପୂଜା ପା’ନ୍ତି । ଗ୍ରାମର ଦେହୁରିଦ୍ୱାରା ପ୍ରତ୍ୟେକ ଘରେ ସେମାନଙ୍କର ପିତୃଦେବତା ସ୍ଥାପିତ ହୁଅନ୍ତି । ବଡ଼ ବଡ଼ ଶାଳଗଛ ତଳେ ଉପରୋକ୍ତ ଦେବତାମାନଙ୍କର ନିଦର୍ଶନରୂପେ ପଥରଖଣ୍ଡେ କିମ୍ବା କାଠର ମୁଣ୍ଡିଆଟିଏ ଚଞ୍ଛା ହୋଇ ସିନ୍ଦୂରଦ୍ୱାରା ଚିତ୍ରିତ ହୋଇ ରଖାହୋଇଥାଏ । ସେମାନଙ୍କର ଦେବତାମାନଙ୍କ ମଧ୍ୟରୁ କେତେକ ଅନ୍ୟସ୍ଥାନରୁ ଆନୀତ ହେଲେ ମଧ୍ୟ ନିଜ ଜାତୀୟ ଦେହୁରି ସେମାନଙ୍କୁ ପୂଜା କରେ । ଦେହୁରିମାନେ ପୁରୁଷାନୁକ୍ରମେ ଗ୍ରାମର ପୌରହିତ୍ୟ ଓ ଦେବତାପୂଜା କରନ୍ତି । ସେମାନଙ୍କ ବଂଶ ମଧ୍ୟରେ ସମସ୍ତେ ଦେହୁରି ସଜ୍ଞା ଧାରଣ କରନ୍ତି, ମାତ୍ର ଯେଉଁମାନେ ଉପଯୁକ୍ତ ବିବେଚିତ ହୁଅନ୍ତି, ସେମାନେ ପୂଜକ ହୁଅନ୍ତି । ପୂଜକ ଦେହୁରି ଆପଣା ସମ୍ପ୍ରଦାୟର ଯେକୌଣସି ଭୂୟାଁର କନ୍ୟାକୁ ବିବାହ କରିପାରେ ଏବଂ ଆପଣା ଇଚ୍ଛାନୁସାରେ ଦେହୁରି କାର୍ଯ୍ୟ ଛାଡ଼ିଦେଇପାରେ ।

 

ବ୍ୟାଘ୍ରଚର୍ମ ଓ ଉଇହୁଙ୍କାର ମାଟି ଏକତ୍ର ଧରି ହଲପ ବା ଶପଥ କରଯାଏ । କୌଣସି ବିଷୟ ପ୍ରମାଣ କରିବାକୁ ହେଲେ ଏହା ଶେଷ ଉପାୟ ଅଟେ । ଏପ୍ରକାର ଶପଥରେ କେହି କିଛି ଗୋପନ କରିପାରେ ନାହିଁ । ପ୍ରକୃତ ସତ୍ୟ କହିବାକୁ ବାଧ୍ୟହୁଏ, କାରଣ ଉକ୍ତ ଚର୍ମ ଧରି ମିଛ କହିଲେ ଅଳ୍ପଦିନ ମଧ୍ୟର ବାଘ ମୁହଁରେ ପଡ଼ିବାକୁ ହୁଏ ବୋଲି ସେମାନଙ୍କର ଦୃଢ଼ବିଶ୍ୱାସ । ଜଳ ଓ ଅଗ୍ନି ପରୀକ୍ଷାଦ୍ୱାରା ଯେ ନିଷ୍ପତ୍ତି ହୁଏ, ତାହା ଶ୍ରେଷ୍ଠ ବିବେଚିତ ହୁଏ । ଫୁଟୁଥିବା ଗୋବରପାଣି ହାଣ୍ଡିରେ ହାତ ବୁଡ଼ାଇ ଗୋଟିଏ ତାମ୍ରମୁଦ୍ରା ଯେ ବାହାର କରି ଆଣିପାରେ ଅଥର ତା’ଦ୍ୱାରା ହାତ ଫୋଟକା ନ ହୁଏ, ସେ ନିର୍ଦ୍ଦୋଷ ବୋଲି ବିଶ୍ୱାସ କରାଯାଏ । କିମ୍ବା ଦୋଷୀ ଏକହାତ ଅନ୍ତରରେ ଲାଗିଥିବା ବାରଗୋଡ଼ବିଶିଷ୍ଟ ଓ ତେରଛା ହୋଇ ଧରାହୋଇଥିବା ନିଶୁଣି ଉପରେ ଉଠି ଉପରୁ ତଳେ ଖୋଳା ହୋଇଥିବା ଗୋଲାକୃତି ଗାତ ମଧ୍ୟରେ ଖିରି ଢାଳିଦେଇ ପାରିଲେ ନିର୍ଦ୍ଦୋଷ ପ୍ରମାଣିତ ହୁଏ । ଉକ୍ତ ଗର୍ତ୍ତ ପୂର୍ବରୁ ପ୍ରତିଷ୍ଠା ହୋଇଥାଏ । ସର୍ବୋପରି ଭୟାନକ ପରୀକ୍ଷା ଏହି ଯେ, ପ୍ରତ୍ୟେକ ହାତ ପାପୁଲିରେ ସାତଗୋଟି ଲେଖାଏଁ ଅଶ୍ୱତ୍ଥପତ୍ର ରଖି ମଧ୍ୟରେ ଅଧସେର ଓଜନର ଉତ୍ତପ୍ତ ରକ୍ତବର୍ଣ୍ଣ ଖଣ୍ଡେ ଲୁହା ଧରି ଖଣ୍ଡେ ଲଇ ଉପରେ ସାତବେଢ଼ ଚାଲିଗଲେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୁଏ । ଯେ ନ ପାରେ ସେ ଗ୍ରାମରୁ ବିତାଡ଼ିତ ହୋଇ ତିନି କିମ୍ବା ଚାରି ମାଇଲ ଦୂରରେ ପୃଥକ୍‍ ହୋଇ ଘର କରି ରହେ । କିମ୍ବା ତାହାର କଳଙ୍କ ଲୁପ୍ତ ହେବା ଆଶାରେ ଅନ୍ୟ କିଲ୍ଲାରେ ଯାଇ ବାସ କରେ । ସେମାନଙ୍କ ଧର୍ମ ବନ୍ଧନ ଅତି କଠୋର ଏବଂ ସେମାନେ ସେ ପ୍ରଥାର ବଶବର୍ତ୍ତୀ ହୋଇ ଚଳିବାକୁ ବାଧ୍ୟ ଅଟନ୍ତି ।

 

ଗ୍ରାମଦେବତାମାନଙ୍କର ପୂଜାପ୍ରଣାଳୀ ଅବଲୋକନ କଲେ ପରମାର୍ଥୀମାନଙ୍କର ହୃତ୍‍କମ୍ପ ଜାତ ହେବ । ସେମାନଙ୍କ ମଧ୍ୟରୁ କେହି ଉକ୍ତ ପୂଜା କାର୍ଯ୍ୟ ଯଥାବିଧି ସମ୍ପନ୍ନ ନ କଲେ ଘୃଣିତ ଓ ପତିତ ହୁଏ ।

 

ସ୍କଟ୍‍ଲାଣ୍ଡ ଦେଶରେ ଫେୟାରି କ୍ରସ୍‍ * (Fairy Cross)ଦ୍ୱାରା ଅଳ୍ପସମୟ ମଧ୍ୟରେ ଯେପରି ଯୁଦ୍ଧାର୍ଥ ସୈନ୍ୟ ଏକତ୍ର କରାଯାଏ, ସେହିପରି ଭୂୟାଁମାନେ ଗୋଟିଏ ସ୍ୱତନ୍ତ୍ର ଉପାୟଦ୍ଵାରା ଉକ୍ତ କାର୍ଯ୍ୟ ସମ୍ପନ୍ନ କରନ୍ତି । କିମ୍ବା କୌଣସି ବିଶେଷ କାର୍ଯ୍ୟ ଉପଲକ୍ଷରେ ସମସ୍ତ ଭୂୟାଁଦେଶର ଲୋକମାନେ ଏହିପରି ଏକତ୍ର ହୁଅନ୍ତି । ନିକଟବର୍ତ୍ତୀ ଭିନ୍ନ ଭିନ୍ନ ଗ୍ରାମରୁ କେତେକ ଜଣ ପ୍ରତିନିଧି ଏକତ୍ର ହେଲେ ତାହାକୁ ମହାଦେଶ ବୋଲାଯାଏ । ଉକ୍ତ ମହାଦେଶ ପ୍ରଥମେ ଦେହୁରିଦ୍ୱାରା ପବିତ୍ର କରାଯାଏ । ପରେ ସିଆଡ଼ି ଲଇ ଅଣାଯାଇ ଗୋଟିଏ ସରୁ ଦଉଡ଼ି ବଳା ହୁଏ, ପ୍ରଥମେ ମହାଠାକୁରାଣୀ, ଦ୍ୱିତୀୟରେ ମହାରାଜା ଏବଂ ତୃତୀୟରେ ମହାଦେବୀଙ୍କ ନାମରେ ତିନିଗୋଟି ଗଣ୍ଠି ପଡ଼େ, ଆଉ ମଧ୍ୟ ଯେତେଦିନ ମଧ୍ୟରେ ଏକତ୍ର ହେବାକୁ ହେବ ସେତିକିଗୋଟି ଛୋଟ ଛୋଟ ଗଣ୍ଠି ଦିଆଯାଇ ଆହ୍ୱାନର ଚିହ୍ନସ୍ୱରୂପ ତାହା ଅନ୍ୟଗ୍ରାମକୁ ନେଇଯିବାପାଇଁ ଗୋଟିଏ ଯୁବକକୁ ଦିଆଯାଏ । ସେ ତାହା ନେଇ ନିକଟବର୍ତ୍ତୀ ଗ୍ରାମରେ ପହଞ୍ଚି ପ୍ରଥମେ ଯେଉଁ ଲୋକକୁ ଦେଖେ ତାହାକୁ ଦିଏ । ସେ ପାଇଲା ମାତ୍ରକେ ଦ୍ରୁତବେଗରେ ତାହା ଅନ୍ୟଗ୍ରାମକୁ ନେଇଯାଏ । ଏହିପରି କେତେକ ଘଣ୍ଟା ମଧ୍ୟରେ ତାହା ସମସ୍ତ ଭୂୟାଁଗ୍ରାମମାନଙ୍କର ଦୂରତା ଦୃଷ୍ଟିରେ ଏକରୁ ଅଧିକ ଉକ୍ତ ପ୍ରକାର ଗଣ୍ଠିଯୁକ୍ତ ସିଆଡ଼ି ଦଉଡ଼ି ଏକସମୟରେ ବିଭିନ୍ନ ଦିଗକୁ ପଠାଯାଏ ।

 

(*ସ୍କଟ୍‍ଲାଣ୍ତରେ ବିଦ୍ରୋହ ଉପସ୍ଥିତ ହେଲେ ଦେଶର ସମସ୍ତ ଲୋକ ଅସ୍ତ୍ରଶସ୍ତ୍ର ସହ ଶୀଘ୍ର ଏକତ୍ର ହେବାପାଇଁ ଦୁଇ ଖଣ୍ଡ କାଷ୍ଠ କୃଷ୍ଣବର୍ଣ୍ଣ କରାଯାଇ ଓ ରକ୍ତଦ୍ୱାରା ଚିତ୍ରିତ ହୋଇ ଗ୍ରାମେ ଗ୍ରାମେ ବୁଲାଯାଏ । ଏହା ଆହ୍ୱାନର ଚିହ୍ନ ବୋଲି ସମସ୍ତେ ଜାଣି ଅଚିରେ ଏକତ୍ର ହୁଅନ୍ତି । )

 

ଦଶହରା କିମ୍ବା ରଥଯାତ୍ରା ପ୍ରଭୃତି ହିନ୍ଦୁମାନଙ୍କ ଧର୍ମୋତ୍ସବରେ ଭୂୟାଁମାନେ ଆମୋଦପ୍ରମୋଦ ପାଇଁ ଯାତ୍ରା ଦେଖିବା ଅଭିପ୍ରାୟରେ ଆସନ୍ତି । କିନ୍ତୁ ଧର୍ମଗତଭାବ ସେମାନଙ୍କ ହୃଦୟରେ ନ ଥାଏ ।

 

ହିନ୍ଦୁମାନଙ୍କ ଉତ୍ସବର ରୀତିନୀତିରୁ ସମ୍ପୂର୍ଣ୍ଣ ପୃଥକ୍‍ରୂପେ ସେମାନଙ୍କର ଦୁଇଗୋଟି ଉତ୍ସବ ଅତି ଧର୍ମଗତଭାବରେ ଓ ଆଡ଼ମ୍ବର ସହକାରେ ସମ୍ପାଦିତ ହୁଏ । ପ୍ରଥମଟି ମାଘମାସ ମଧ୍ୟରେ ଯେକୌଣସି ଦିନ ଗୋଟିଏ ଗ୍ରାମରେ ମାଘପୋଡ଼ି ଉତ୍ସବ ହୁଏ । ଏକଦିନରେ ସମସ୍ତଗ୍ରାମରେ ଉତ୍ସବ ନ ହେବାର ଅଭିପ୍ରାୟ ଏହି ଯେ ଏକଗ୍ରାମର ଲୋକ ଅନ୍ୟଗ୍ରାମର ଉତ୍ସବରେ ଯୋଗ ଦେଇପାରିବେ ନାହିଁ ।

 

ଏ ଉତ୍ସବରେ ଭୂୟାଁମାନେ ବ୍ୟଭିଚାର ଓ ମଦ୍ୟପାନର ଅତିଶୟ ପ୍ରଶ୍ରୟ ଦିଅନ୍ତି । ଦେବତାଙ୍କ ତୃପ୍ତିପାଇଁ ଅଶ୍ଳୀଳ ଭାଷାରେ ପରିହାସବ୍ୟଞ୍ଜକ ଗାନ ଆବଶ୍ୟକ ବୋଲି ମନେକରାଯାଏ । ପୁଣି ସେମାନେ କର୍ଦ୍ଦମାଦି ନାନାପ୍ରକାର କଦର୍ଯ୍ୟ ପଦାର୍ଥରେ ଚିତ୍ର ବିଚିତ୍ର ହୋଇ ଅତି କଦାକାର ବେଶ ଧାରଣ କରନ୍ତି । ସ୍ତ୍ରୀମାନେ ମଦ୍ୟପାନ ନ କଲେ ସୁଦ୍ଧା ଉକ୍ତପ୍ରକାର କଦାକାର ବେଶ ଧାରଣ କରି ଅଶ୍ଳୀଳ ଗାନରେ ଯୋଗ ଦିଅନ୍ତି । ଧାଙ୍ଗଡ଼ୀମାନେ (ଅବିବାହିତା ଯୁବତୀ) ଅଧିକାଂଶ ସମୟ ଏଥିରେ ଲିପ୍ତ ହୁଅନ୍ତି । ଏହି ଉତ୍ସବ ତିନିଦିନ କରାଯାଏ, ଏହି ତିନିଦିନ ମଧ୍ୟରେ ନିଜସମ୍ପର୍କୀୟ କିମ୍ବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଲଜ୍ଜା କିମ୍ବା ସମ୍ମାନ ରହେ ନାହିଁ । ଭାଇ ଭଉଣୀ ମଧ୍ୟରେ ଅଶ୍ଳୀଳ ଭାଷାରେ ପରିହାସବ୍ୟଞ୍ଜକ କଥାବାର୍ତ୍ତା ହୁଅନ୍ତି ।

 

ଫସଲ ଅମଳ ଶେଷରେ ‘‘କରମା” ଉତ୍ସବ ହୁଏ । ଏଥିରେ ମଧ୍ୟ ବ୍ୟଭିଚାର, ମଦ୍ୟପାନ ଓ ଅଶ୍ଳୀଳ ଗାନ ପୂର୍ବପରି ହୁଏ । ଯେଉଁ ଫସଲ ଅମଳ ହେଲା ତାହା ସେମାନଙ୍କର ବର୍ଷକ ପାଇଁ ସେମାନେ ଏ ଉତ୍ସବ କରିଥାନ୍ତି । କରମା ନାମକ ଗଛର ଡାଳ ଦୁଇଖଣ୍ଡି ରାଜା ଓ ରାଣୀ ନାମରେ ଏକତ୍ର ଭୂମିରେ ପୋତି ସେମାନଙ୍କର ପରସ୍ପର ବିବାହ ଉତ୍ସବ ସମ୍ପାଦନ କରନ୍ତି । ସାପ ଓ ପକ୍ଷୀ ଧରାହୋଇ ଅଣାଯାଏ । ସାପମାନଙ୍କ ଦୁଇପାଟି ଫୋଡ଼ା ହୋଇ ସିଲାଇ କରାହୁଏ, ଯେପରି ସେମାନେ କାମୁଡ଼ି ପାରିବେ ନାହିଁ । ଏହାପରେ ସେମାନଙ୍କୁ ସ୍ତ୍ରୀମାନଙ୍କ ମଧ୍ୟକୁ ଛାଡ଼ି ଦିଆଯାଏ । ପକ୍ଷୀମାନଙ୍କୁ ଡାଳମାନଙ୍କରେ ବାନ୍ଧି କାଣ୍ଡ ଏବଂ ପଥର ମାରି ବଧ କରାଯାଏ । ଏ ଦୁଇଗୋଟି ଉତ୍ସବ ଛଡ଼ା ହିନ୍ଦୁମାନଙ୍କଠାରୁ ଗୃହୀତ ଗହ୍ମାପୂର୍ଣ୍ଣିମା ଉତ୍ସବ ମଧ୍ୟ କରନ୍ତି । ଏଥିରେ ମଧ୍ୟ ପୂର୍ବପରି ଅଭଦ୍ର ଓ କଦାକାର ଦୃଶ୍ୟମାନଙ୍କର ଅଭିନୟ ହୁଏ । ହିନ୍ଦୁମାନଙ୍କ ପରି ସେମାନଙ୍କର କୌଣସି ଉତ୍ସବର ନିର୍ଦ୍ଦିଷ୍ଟ ଦିନ ନାହିଁ । ଯେଉଁଦିନ ସୁବିଧା ମନେକରନ୍ତି, ସେହିଦିନଠାରୁ ଉତ୍ସବ ଆରମ୍ଭ କରନ୍ତି, ମାତ୍ର ଯେଉଁ ଉତ୍ସବ ଯେତେଦିନ ହେବ ତାହା ନିର୍ଦ୍ଦିଷ୍ଟ ଥାଏ ।

 

ଏହିସବୁ ଉତ୍ସବମାନଙ୍କରେ ଭୋଜି ସଙ୍ଗେ ସଙ୍ଗେ ମଦ୍ୟପାନ ଓ ନୃତ୍ୟ ଯଥେଷ୍ଟ ପରିମାଣରେ ହୁଏ । ଆହୁରି ମଧ୍ୟ ଧାଙ୍ଗଡ଼ା ଓ ଧାଙ୍ଗଡ଼ୀମାନଙ୍କର ଯାହାର ଯାହାକୁ ବିବାହ କରିବାର ଇଚ୍ଛାଥାଏ, ସେ ଏହି ଉତ୍ସବ ସମୟରେ ପ୍ରକାଶ କରେ ।

 

କରମା ଉତ୍ସବରେ (ଓକିନ ପାରିଧି) ସମସ୍ତ ପୁରୁଷ ବ୍ୟକ୍ତି ଯୋଗଦେବାକୁ ବାଧ୍ୟ ହୁଅନ୍ତି-। ଏହା ଦୁଇଦିନ କରାଯାଏ, ପ୍ରତ୍ୟେକ ଗ୍ରାମରେ ଆପଣାର ସ୍ୱତନ୍ତ୍ର ବାଦ୍ୟପାଇଁ ପାଣମାନଙ୍କୁ ରଖିଥାନ୍ତି ।

 

କୌଣସି ଜନ୍ତୁ ଶରବିଦ୍ଧ ହୋଇ ପଳାଇଗଲେ ସେମାନେ କ୍ଳାନ୍ତଭାବରେ ଯେତେଦୂର ହେଉ ପଛକେ ତାହାର ପାଦ ଚିହ୍ନାଦି ଅନୁସରଣ କରି ତଡ଼ି ତଡ଼ି ଶେଷରେ ଧରନ୍ତି । ପ୍ରତ୍ୟେକ ଶିକାର ଗ୍ରାମର ପ୍ରଧାନ ଘର ନିକଟକୁ ବହି ନିଆଯାଏ । ଯେଉଁ ଲୋକ ଜନ୍ତୁଟି ମାରିଥାଏ, ପ୍ରଧାନ ତାହାକୁ ଖଣ୍ଡେ ଲୁଗା ପୁରସ୍କାର ଦିଏ । ଯେ ଯେପରି ଜନ୍ତୁ ମାରେ ତତ୍‍ଦୃଷ୍ଟିରେ ସେହିପରି ଲମ୍ବା ଓ ମୂଲ୍ୟର ଲୁଗା ପାଏ । ଗୋଟିଏ ବାଘ ମାଇଲେ ୧୨ହାତ ଲମ୍ବା ଲୁଗା ମିଳେ । ସ୍ତ୍ରୀମାନେ ବିଦ୍ଧ ଜନ୍ତୁର ପାଦ ହଳଦୀ ପାଣିରେ ଧୋଇଦିଅନ୍ତି । ତାହାପରେ ଗ୍ରାମ ବାହାରକୁ ନେଇ କାଟି ଖଣ୍ଡେ (ପଛ ଗୋଡ଼ର ଗୋଟିଏ) ଶାନ୍ତି ଓ ଚର୍ମଟି ପ୍ରଧାନଙ୍କୁ ଦେଇ ଅବଶିଷ୍ଟ ଗ୍ରାମ ମଧ୍ୟରେ ବାଣ୍ଟିଦିଅନ୍ତି । ଏକଗ୍ରାମର ଶରଦ୍ଵାରା ଖଣ୍ଡିଆ ହୋଇଥିବା ଜନ୍ତୁ ଅନ୍ୟଗ୍ରାମରେ ମାଡ଼ ଖାଇଲେ ଯଦି ସେମାନେ ତାକୁ ଗୋପନ କରନ୍ତି ଓ ପୂର୍ବ ବାଣୁଆ ତାହା ଜାଣିପାରେ, ତେବେ ଦେଶ ମଧ୍ୟରେ ସଭା ହୋଇ ବିଚାର କରାଯାଏ ଏବଂ ଗୋପନକାରୀ ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ।

 

ରୋଗ ମାତ୍ରେ ଦେବତାର ଆବେଶ ବୋଲି ଜ୍ଞାନ କରାଯାଏ ଏବଂ ଅଚିରେ ସେ ଦେବତାଙ୍କୁ ବୋଧ କରିବାପାଇଁ ଯଥାବିଧି ଆୟୋଜନ ହୁଏ । ରୋଗରେ ସେମାନେ ଔଷଧ ବ୍ୟବହାର କରନ୍ତି ନାହିଁ ।

 

ଗୋରୁକୁ ସେମାନେ ହିନ୍ଦୁମାନଙ୍କ ପରି ପବିତ୍ରଭାବରେ ଦେଖନ୍ତି । ସେମାନଙ୍କ ମଧ୍ୟରୁ କେହି ଗୋହତ୍ୟା ବା ତାହା ପ୍ରତି ଅତ୍ୟାଚାର କଲେ ପତିତ ହୁଏ । ସେମାନେ ବଳଦ ସହ ଗାଈକୁ ହଳ କଲେ ମଧ୍ୟ ଆଦୌ ଗାଈକୁ ଦୁହଁନ୍ତି ନାହିଁ । କୌଣସି କୌଣସି ଭୂୟାଁ ଆଦୌ ଦୁଗ୍ଧପାନ କରନ୍ତି ନାହିଁ ।

 

ପରିଶିଷ୍ଟ

 

ଭୂୟାଁମାନଙ୍କ ଆଚାର ବ୍ୟବହାରରୁ କେତେକ ପରିମାଣରେ ଅନୁମାନ କରାଯାଏ ଯେ ସଭ୍ୟତା ବୃଦ୍ଧି ସଙ୍ଗେ ସଙ୍ଗେ ଏ ଜାତି ଧ୍ୱଂସ ପ୍ରାପ୍ତ ହୋଇଯାଇପାରେ । ମାତ୍ର ସେ ସବୁ ବିଶଦ ଭାବରେ ହୃଦୟଙ୍ଗମ କଲେ ତାହା ଅସମ୍ଭବ ପରି ବୋଧହୁଏ ।

 

ପୂର୍ବୋକ୍ତ ମତେ ଯେତେବେଳେ ସେମାନେ ଆପଣାର ସ୍ୱତନ୍ତ୍ର ରାଜା କରିବାକୁ ମୟୂରଭଞ୍ଜ ରାଜପୁତ୍ରଙ୍କୁ ଆଣି ରଖିଥିଲେ, ସେ ସମୟରେ ତାହାଙ୍କର ପରିଚର୍ଯ୍ୟା ପାଇଁ କେତେକ ଗୋପାଳ ଆଣି ଆପଣା ଦେଶ ମଧ୍ୟରେ ରଖାଇଥିଲେ । ସେହି ଗୋପାଳମାନେ କାଳକ୍ରମେ ଭୂୟାଁମାନଙ୍କ ସଙ୍ଗେ କେତେକ ବିଷୟରେ ମିଶିଯାଉ ଅଛନ୍ତି । ସେମାନେ ଭୂୟାଁ ସ୍ତ୍ରୀକୁ ଉପସ୍ତ୍ରୀ ରୂପେ ରଖନ୍ତି । ଏହାଦ୍ଵାରା ଯେଉଁ ସନ୍ତାନ ସନ୍ତତି ହୁଅନ୍ତି, ସେମାନେ ଭୂୟାଁ ବୋଲି ପରିଚିତ ହୁଅନ୍ତି-

 

ଭୂୟାଁମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପ୍ରାପ୍ତ ହେବାରୁ ସେମାନେ ପାର୍ବତ୍ୟ ପ୍ରଦେଶ ଛାଡ଼ି ଥଳିରେ ଅନ୍ୟାନ୍ୟ ଜାତିମାନଙ୍କ ସଙ୍ଗେ କ୍ରମଶଃ ବାସ କରୁଅଛନ୍ତି ।

 

ଭୂୟାଁମାନେ ଅନେକ ପ୍ରକାର ସଜ୍ଞା ଧାରଣ କରନ୍ତି । ସେମାନଙ୍କ ମଧ୍ୟରେ ଯେ ପ୍ରଧାନ, ସେ ନାୟକ ଉପାଧି ଧାରଣ କରେ । ଅନେକ ବୈଦେଶିକ ଉପାଧି ସେମାନେ ଗ୍ରହଣ କରିଅଛନ୍ତି । ମାତ୍ର ବ୍ୟବହାର ଓ ଉଚ୍ଚାରଣ ଦୋଷରୁ ତାହା ଭିନ୍ନପ୍ରକାର ଶୁଣାଯାଏ । ଗୋପାଳମାନଙ୍କଠାରୁ ପ୍ରଧାନ, ପାଣମାନଙ୍କଠାରୁ ପାହାନ, ମହାନ୍ତିଙ୍କଠାରୁ ମାନ୍ତି ପ୍ରଭୃତି ଉପାଧି ସେମାନଙ୍କ ମଧ୍ୟରୁ ଅନେକ ପୁରୁଷାନୁକ୍ରମେ ଧାରଣ କରିଅଛନ୍ତି । ଆଉ ମଧ୍ୟ ରାଜାଙ୍କର କେତେକ କାର୍ଯ୍ୟ କରୁଥିବା ଅନୁସାରେ ଉପାଧି ପାଇଅଛନ୍ତି, ଯଥା କାର୍ଯୀ, କେଟେଇ, ମଳିକ ଓ ମନ୍ତ୍ରୀ ଇତ୍ୟାଦି । ଗୋପାଳ ପ୍ରଭୃତି ଜାତିମାନଙ୍କ ସଙ୍ଗେ ଅସବର୍ଣ୍ଣ ବିବାହୋତ୍ପନ୍ନ ସନ୍ତାନମାନଙ୍କ ଆକୃତି ଅନେକାଂଶରେ ଆଦିମ ଭୂୟାଁମାନଙ୍କଠାରୁ ପୃଥକ୍ ଏବଂ ଆର୍ଯ୍ୟମାନଙ୍କ ସଙ୍ଗେ ଚେହେରାର ସାମଞ୍ଜସ୍ୟ ଦେଖାଯାଏ । ଯେଉଁ ଜାତିରେ ଅସବର୍ଣ୍ଣ ବିବାହ ପ୍ରଥା ପ୍ରଚଳିତ ଅଛି, ସେ ଜାତି କ୍ରମଶଃ ବର୍ଦ୍ଧିତ ନ ହୋଇ ହ୍ରାସ ପ୍ରାପ୍ତ ହେବା ସମ୍ଭବପର ନୁହେଁ ।

 

ଯେବେ ଗୋଟିଏ ସନ୍ତାନ ଜନ୍ମେ, ସେ ଦିନ ଗ୍ରାମରେ ଗୋଟିଏ ସାମାନ୍ୟ ଘଟନା ଘଟିଲେ, ସେ ଘଟନାକୁ ଲକ୍ଷ୍ୟ କରି ଶିଶୁର ନାମକରଣ ହୁଏ । ଘଟନାକ୍ରମେ ସେ ଦିନ ଯଦି ସାହେବ ଜଣେ ଗ୍ରାମରେ ଥାଏ, ତେବେ ଶିଶୁର ନାମ ସାହେବ ବା ଗୋରା ଦିଆଯାଏ, ଅଥବା ଯଦି ଜଣେ ମୁସଲମାନ, ସିପାହୀ, ମହାଜନ ବା ପୁଲିସ ଗ୍ରାମରେ ଥାଏ, ତେବେ ପିଲାର ନାମ ପଠାଣ, ସିପାଇ, ମହାଜନ ବା ପୁଲିସ ଦିଆଯାଏ । ଆଉ ମଧ୍ୟ କୌଣସି ଉତ୍ସବ ଦିନ କେହି ଜନ୍ମହେଲେ ସେହି ଉତ୍ସବର ନାମ ଅନୁସାରେ ଉକ୍ତ ପିଲାର ନାମ ହୁଏ, ଯଥା—ରଜ, ଦଶହରା, ସୁନିଆଁ ଇତ୍ୟାଦି ।

 

ଭୂୟାଁମାନେ ଅନାର୍ଯ୍ୟ ଜାତିର ପ୍ରାଥମିକ ଅବସ୍ଥା ତ୍ୟାଗ କରିଅଛନ୍ତି । ଯଦିଚ ସେମାନେ ବର୍ତ୍ତମାନ ସୁଦ୍ଧା ପାରିଧିର ଅତି ପ୍ରିୟ, ତଥାପି ସେମାନେ କେବଳ ଏହା ଉପରେ ଆପଣାର ଗ୍ରାସାଚ୍ଛାଦନ ପାଇଁ ନିର୍ଭର କରନ୍ତି ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଭ୍ରମଣଶୀଳ କୃଷିଜୀବୀ ଓ ଅବଶିଷ୍ଟ ସ୍ଥାୟୀ କୃଷକରୂପେ ବାସ କରୁଅଛନ୍ତି । ମାତ୍ର ସେମାନେ ଏପର୍ଯ୍ୟନ୍ତ ଅନ୍ୟାନ୍ୟ ଅନାର୍ଯ୍ୟ ଜାତିମାନଙ୍କ ପରି କୃଷି କରୁଅଛନ୍ତି । ସେମାନଙ୍କ ଚତୁର୍ଦ୍ଦିଗରେ ଯଥେଷ୍ଟ ଭୂମି ରହିଅଛି । ଏଣୁ ସେମାନେ ଇଚ୍ଛାମତେ ଏକ ସ୍ଥାନରୁ ଯାଇ ଅପର ସ୍ଥାନରେ କିଛିଦିନ ବାସ କରନ୍ତି । କାରଣ ସେମାନେ ଏପର୍ଯ୍ୟନ୍ତ ଉନ୍ନତ ରୀତିରେ କୃଷି କରିବାକୁ ସମର୍ଥ ହୋଇ ନାହାନ୍ତି । ସେମାନେ ଅତି ଅଳ୍ପ ପରିମାଣରେ ଶସ୍ୟ ଅମଳ କରନ୍ତି । ମାତ୍ର ସେମାନେ ବାସକରୁଥିବା ଜଙ୍ଗଲରେ ପ୍ରଚୁର ପରିମାଣରେ ଫଳମୂଳ ମିଳିବାରୁ ଖାଦ୍ୟାଭାବ ହୁଏ ନାହିଁ ।

 

ଗ୍ରାମମାନଙ୍କରେ ଲୋକବସତି ଅତି ଅଳ୍ପ । ଭୂୟାଁମାନଙ୍କର ବେଶି ସନ୍ତାନ ସନ୍ତତି ହୁଅନ୍ତି ନାହିଁ । ଯେତେ ହୁଅନ୍ତି, ସେମାନେ ସମସ୍ତେ ହୃଷ୍ଟପୁଷ୍ଟ ହୁଅନ୍ତି ।

 

ପ୍ରତ୍ୟେକ ଭୂୟାଁ ନିଜର ଗୃହ ନିଜେ ନିର୍ମାଣ କରେ ଓ ନିଜର ପଶୁ ନିଜେ ଚରାଏ । ଜମି ଚାଷ ମଧ୍ୟ ନିଜେ ନିଜେ କରନ୍ତି । କୌଣସି ବିଷୟରେ ସେମାନେ ପର ଉପରେ ନିର୍ଭର କରନ୍ତି ନାହିଁ ।

 

ବର୍ତ୍ତମାନ ପ୍ରଚଳିତ କର ଅପେକ୍ଷା ଅନ୍ୟପ୍ରକାର ସୁବିଧାଜନକ କର ଧାର୍ଯ୍ୟ କରିବା ସହଜ ନୁହେଁ । ବରଂ ଟଙ୍କା ଆଦାୟ ଅପେକ୍ଷା ବେଠି କିମ୍ବା ଜିନିଷ ପ୍ରଭୃତି ଆଦାୟରେ ସେମାନେ ଅଧିକ ସନ୍ତୁଷ୍ଟ । ସେମାନଙ୍କୁ କୌଣସି ନିୟମରେ ଆବଦ୍ଧ କରିବା ଅପେକ୍ଷା ସେମାନଙ୍କ ସଙ୍ଗେ ପରାମର୍ଶ କରି କୌଣସି କାର୍ଯ୍ୟ କରିବା ସୁବିଧାଜନକ ଅଟେ । ବର୍ତ୍ତମାନ ସେମାନଙ୍କୁ ଉନ୍ନତ ରୀତିରେ ଚାଷ କାର୍ଯ୍ୟ ଓ ସେମାନଙ୍କ ଗ୍ରାମର ଲୋକସଂଖ୍ୟା (ଅନ୍ୟାନ୍ୟ ଉନ୍ନତ ଜାତି ବାସ କରାଇ) ବୃଦ୍ଧି କରିବା ବିଷୟରେ ଶିକ୍ଷା ଦେବା ଆବଶ୍ୟକ । ସେମାନଙ୍କର ଭଦ୍ରତା, ସତ୍ୟବାଦୀତା ଓ ଆପଣା ଆପଣା ମଧ୍ୟରେ ସରଳ ବ୍ୟବହାର ଆଶ୍ଚର୍ଯ୍ୟଜନକ ଅଟେ । ସେମାନେ ନିଜ ନିଜ ଜମିର ନିଜେ ପ୍ରଭୁ ବୋଲି ଜାଣନ୍ତି ।

 

ଗ୍ରାମରେ ଯେଉଁ ଶସ୍ୟ ଅମଳ କରାଯାଏ, ତାହା ଅବାଧରେ ଖଳାରେ ମାଠ ଓ ନିଜ କୋଠିରେ ବିନା ଚାବିରେ ରଖାଯାଏ । କାରଣ ଚୋରି ଯିବାର ଭୟ ଭୂୟାଁ ଗ୍ରାମରେ ନଥାଏ । ସେମାନେ ପରଦ୍ରବ୍ୟ ଅପହରଣ କରିବା ବିଷୟରେ ଅତି ଭୀତ ଅଟନ୍ତି ।

 

ଯଦିଚ ଉତ୍ସବାଦିରେ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ବ୍ୟଭିଚାରାଦି ଦେଖାଯାଏ, ତଥାପି ସେମାନେ ସ୍ତ୍ରୀମାନଙ୍କୁ ସମ୍ମାନ କରନ୍ତି ଓ ଘରେ କନ୍ୟା ଓ ପୁତ୍ରମାନଙ୍କର ଚରିତ୍ର ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି । ରାତ୍ରରେ ଅବିବାହିତ ପୁତ୍ର ଓ ଅବିବାହିତା କନ୍ୟାମାନେ ପୃଥକ୍ ପୃଥକ୍ ଶୟନ କରନ୍ତି । ଆପଣା ଘରେ କୌଣସି ଅପବାଦ ହେବାକୁ ସେମାନେ ବଡ଼ ଭୟ ଓ ଲଜ୍ଜା ବୋଧ କରନ୍ତି ।

 

ଈଶ୍ୱରଙ୍କ ବିଷରେ ଭୂୟାଁମାନଙ୍କ ଜ୍ଞାନ ଅତି ସାମାନ୍ୟ । ଯଦିଚ ସେମାନେ ତାହାଙ୍କର ଅସ୍ତିତ୍ୱ ଓ ମାନବର ଜନ୍ମାନ୍ତର ବିଶ୍ୱାସ କରନ୍ତି, ଏତକ ସେମାନେ ହିନ୍ଦୁମାନଙ୍କଠାରୁ ଗ୍ରହଣ କରିଅଛନ୍ତି । ଜନ୍ମୋତ୍ସବ, ଶ୍ରାଦ୍ଧ ଓ ବିବାହ ଅନୁଷ୍ଠାନ ଅତି ଭକ୍ତିର ସହିତ ସେମାନେ ସାଧନ କରନ୍ତି-

Image